ସେହି ଜାନୁଆରୀରେ ପୁଣିଥରେ ରହିଛି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ। ଜାନୁଆରୀ ୨୮ ଓ ୨୯ ଦୁଇ ଦିନ ଧରି ଆୟୋଜିତ ହେବ ଉତ୍କର୍ଷ ଓଡ଼ିଶା ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୫। ଏଥିରେ ବି ସାମିଲ ହେବେ ପ୍ରଧାନମନ୍ତ୍ରୀ। ସୋମବାର ଏହି ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
୨୦୨୪ ନିର୍ବାଚନ ସରିବା ପରଠୁ ୩ ଥର ଓଡ଼ିଶା ଆସିସାରିଲେଣି ମୋଦି। ଶେଷ ଗସ୍ତରେ ନଭେମ୍ବର ୨୯ରୁ ଡିସେମ୍ବର ପହିଲା ଯାଏ ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ଡିଜି ସମ୍ମିଳନୀରେ ସାମିଲ ହେବାପାଇଁ ଭୁୂବନେଶ୍ବରରେ ୩ ଦିନ ଅବସ୍ଥାନ କରିଥିଲେ ମୋଦି। କୌଣସି ପ୍ରଧାନମନ୍ତ୍ରୀର ଓଡ଼ିଶାରେ ଲଗାତାର ୩ ଦିନ ରହଣୀର ଏହା ଥିଲା ପ୍ରଥମ ଅବସର। ୨୦୧୪ରେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠୁ ମୋଦିଙ୍କ ଫୋକସରେ ରହି ଆସିଛି ଓଡ଼ିଶା ସମେତ ପୂର୍ବ ଭାରତ। ଆଉ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ହେବା ପରଠୁ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ଉପରେ ଫୋକସ ଆହୁରି ବଢିଯାଇଛି।
ଏକଦା ଆମ ରାଜ୍ୟ ଥିଲା ଦକ୍ଷିଣ ପୂର୍ବ ଏସିଆର ଅର୍ଥିକ ଶକ୍ତି। ସାଧବ ପୁଅମାନେ ସମଗ୍ର ଦକ୍ଷିଣ ପୂର୍ବ ଏସିଆରେ ନୌବାଣିଜ୍ୟ ବଳରେ କଳିଙ୍ଗକୁ ଏକ ଆର୍ଥୀକ ସମୃଦ୍ଧିଶାଳୀ ରାଜ୍ୟର ପରିଚୟ ଦେଇଥିଲେ। ଏବେବି ଓଡ଼ିଶାର ଭରି ରହିଛି ପ୍ରାଚୁର୍ଯ୍ୟର ଭଣ୍ଡାର। ସୂଦୀର୍ଘ ବେଳାଭୂମି ସାଙ୍ଗକୁ , ଜଳ ସମ୍ପଦ, ଜଙ୍ଗଲ ସମ୍ପଦ ଓ ଖଣିଜ ସମ୍ପଦରେ ଭରପୁର ଓଡ଼ିଶା। କିନ୍ତୁ ଏ ସମ୍ବଳର ସଦବିନିଯୋଗ କରି ଓଡ଼ିଶାକୁ ଏକ ଆର୍ଥିକ ସମୃଦ୍ଧ ରାଜ୍ୟରେ ପରିଣତ କରିବାରେ ବିଫଳ ହୋଇଛନ୍ତି ପୂର୍ବର ସରକାର ମାନେ।
ବିଜୁ ଜନତା ଦଳକୁ ୨୪ ବର୍ଷ ଧରି ନିରଙ୍କୁଶ ଶାସନର ସୁଯୋଗ ମିଳିଥିଲେ ବି ଓଡ଼ିଶାକୁ ବୀମାରୁ ରାଜ୍ୟ ଶ୍ରେଣୀରୁ ଉପରକୁ ଉଠାଇ ପାରିଲା ନାହିଁ। ଆଶାକରାଯାଉଛି ଜାନୁଆରୀରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ଏବଂ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ଓଡ଼ିଶାରେ ଆର୍ଥିକ ବିକାଶ ପାଇଁ ଖୋଲିବ ଦୁନିଆର ଦୁଆର। ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ବଳରେ ଓଡ଼ିଶା ତାର ପୂର୍ବ ଗୌରବ ପୁଣି ଫେରି ପାଇବ ବୋଲି କରାଯାଉଛି ଆଶା।