ଆତଙ୍କବାଦ ବିସ୍ତାର ପାଇଁ ଆଫଗାନିସ୍ତାନର ଭୂମି ବ୍ୟବହୃତ ହେଉନାହିଁ ବୋଲି ନିଶ୍ଚିତ କରିବା ଜରୁରୀ । ଏହି ସମୟରେ ଆଫଗାନିସ୍ତାନର ଲୋକମାନେ ତଥା ମହିଳା, ଶିଶୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଆମର ସାହାଯ୍ୟକୁ ଅପେକ୍ଷା କରୁଛନ୍ତି। ଏଣୁ ଆମକୁ ଆମର ଦାୟିତ୍ଵ ପୂରଣ କରିବାକୁ ପଡିବ।
ଗତ ଦେଢ ବର୍ଷ ଧରି ସମଗ୍ର ବିଶ୍ୱ ଶହେ ବର୍ଷ ମଧ୍ୟରେ ସବୁଠାରୁ ବଡ ମହାମାରୀର ସମ୍ମୁଖୀନ ହୋଇଛି । ଯେଉଁମାନେ ଏପରି ଭୟଙ୍କର ମହାମାରୀରେ ପ୍ରାଣ ହରାଇଛନ୍ତି ସେମାନଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ପରିବାର ପ୍ରତି ମୋର ସମବେଦନା ଜଣାଉଛି।
ସେ କହିଛନ୍ତି ଯେ ଆଜି ସମଗ୍ର ବିଶ୍ୱ ହେଉଛି ଭାରତର ଘର। ଯେତେବେଳେ ବିଶ୍ୱ ଅଗ୍ରଗତି କରେ, ଭାରତ ଅଗ୍ରଗତି କରେ। ଯେତେବେଳେ ଭାରତ ବଦଳିଯାଏ, ବିଶ୍ୱ ବଦଳିଯାଏ। ମୋଦି ଦେଶର ଟିକାକରଣ ଓ ଜଳ ସୁରକ୍ଷା ସମ୍ବନ୍ଧରେ ନିଆଯାଇଥିବା ପଦକ୍ଷେପ ସମ୍ବନ୍ଧରେ ବି କହିଛନ୍ତି।
ଭାରତର ମହାନ କୂଟନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ କଥାକୁ ଜାତିସଙ୍ଘ ସମ୍ମୁଖରେ ରଖିଥିଲେ ପ୍ରଧାନମନ୍ତ୍ରୀ। ସମୟୋପଯୋଗୀ ହେବାକୁ ଦେଇଥିଲେ ପରାମର୍ଶ । ଯେତେବେଳେ ସଠିକ୍ କାର୍ଯ୍ୟ ସଠିକ୍ ସମୟରେ କରାଯାଏ ନାହିଁ, ସମୟ ନିଜେ ସେହି ସଠିକ୍ କାର୍ଯ୍ୟର ସଫଳତାକୁ ଲୀନ କରିଦିଏ।
ନିଜକୁ ପ୍ରାସଙ୍ଗିକ ରଖିବା ପାଇଁ ଜାତିସଂଘକୁ ଏହାର କାର୍ଯ୍ୟକାରିତା ବଜାୟ ରଖିବାକୁ ପଡିବ ବୋଲି ମୋଦି କହିଛନ୍ତି । ଜାତିସଂଘ ଉପରେ ଆଜି ଅନେକ ପ୍ରଶ୍ନ ଉଠିଛି। ଜଳବାୟୁ ଏବଂ କୋଭିଡ୍ ସଙ୍କଟ ସମୟରେ ଆମେ ଏହି ପ୍ରଶ୍ନଗୁଡିକ ଦେଖିଛୁ । ଆତଙ୍କବାଦ ଏବଂ ଆଫଗାନିସ୍ତାନରେ ସଙ୍କଟ ଏହି ପ୍ରଶ୍ନଗୁଡ଼ିକୁ ଆହୁରି ଗମ୍ଭୀର କରିଦେଇଛି।
ପରିଶେଷରେ ସେ ନୋବେଲ ବିଜେତା ରବୀନ୍ଦ୍ରନାଥ ଟାଗୋରଙ୍କ ବିଷୟରେ କହି ସମ୍ବୋଧନ ଶେଷ କରିଛନ୍ତି। କହିଛନ୍ତି ଯେ ଯଦି ନିଜକୁ ଦୁର୍ବଳ ଭାବୁଥିବା ମଣିଷ ସଠିକ୍ ପଥରେ ଓ ନିର୍ଭୟରେ ଆଗକୁ ବଢନ୍ତି, ତେବେ ସମସ୍ତ ଦୁର୍ବଳତା ଏବଂ ସନ୍ଦେହର ସମାପ୍ତି ଘଟେ।