ଅଶୋକ ଗେହଲୋତ ଓ ତାଙ୍କ ବିଧାୟକ ମାନେ କଂଗ୍ରେସ ହାଇକମାଣ୍ଡର ନିୟନ୍ତ୍ରଣରେ ନାହିଁ ବୋଲି ଏକ ବାର୍ତା ଲୋକ ମାନଙ୍କ ମଧ୍ୟରେ ଯାଇ ସାରିଲାଣି । ହେଲେ ଅଶୋକ ଗେହଲୋତଙ୍କୁ ଡାକି ତାଙ୍କ ଠାରୁ ସୋନିଆ ଗାନ୍ଧୀଙ୍କ ନିକଟରେ କ୍ଷମା ମଗାଇ ଏହି ଭାବମୂର୍ତିକୁ ସଜାଡିବା ପାଇଁ କିଛି ମାତ୍ରାରେ ଚେଷ୍ଟା କରାଯାଇଛି । କଂଗ୍ରେସ ହାଇକମାଣ୍ଡର ଭାବମୂର୍ତି ତ କିଛି ମାତ୍ରାରେ ଖରାପ ହୋଇ ସାରିଲାଣି । ହେଲେ ଭବିଷ୍ୟତରେ ଆଉ ଖରାପ ନ ହେଉ ସେ ନେଇ କଂଗ୍ରେସ ହାଇକମାଣ୍ଡ ଅତ୍ୟଧିକ ଚିନ୍ତିତ ହୋଇ ପଡିଛି । ଏହି କ୍ରମରେ କଂଗ୍ରେସ ପାର୍ଟି ପକ୍ଷରୁ ନିଜର ସମସ୍ତ ନେତା ମାନଙ୍କ ପାଇଁ ଏକ ଆ଼଼ଡଭାଇଜରୀ ଜାରୀ କରାଯାଇଛି ।
ଦୃଷ୍ଟି ପକାନ୍ତୁ । କଂଗ୍ରେସ ପକ୍ଷରୁ ଜାରୀ କରାଯାଇଥିବା ଏହି ଆଡଭାଇଜରୀକୁ ।
ଏହି ଆଡଭାଇଜରୀରେ ପ୍ରତ୍ୟେକ ନେତାକୁ ଦଳର କୌଣଉସି ନେତା ବା ଦଳର ଆଭ୍ୟନ୍ତରୀଣ ମାମଲାରେ ମନ୍ତବ୍ୟ ଦେବାକୁ ମନା କରାଯାଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଜାରୀ କରାଯାଇଥିବା ଆଡଭାଇଜାରୀରେ କୁହାଯାଇଛି ଯେ - ରାଜସ୍ଥାନରେ କଂଗ୍ରେସ ନେତା ମାନେ ପାର୍ଟିର ଆଭ୍ୟନ୍ତରୀଣ ମାମଲାରେ ତଥା ଅନ୍ୟ ନେତା ମାନଙ୍କ ବିରୁଦ୍ଧରେ ସାର୍ବଜନୀନ ବକ୍ତବ୍ୟ ଦେବା ଘଟଣା ଆମର ଦୃଷ୍ଟିକୁ ଆସିଛି । ସମସ୍ତଙ୍କୁ ପରାମର୍ଶ ଦିଆ ଯାଉଛି ଯେ ପାର୍ଟିର ନେତା ମାନେ ଦଳର ଆଭ୍ୟନ୍ତରୀଣ ମାମଲାରେ କିମ୍ବା ଅନ୍ୟ ନେତା ମାନଙ୍କ ବିରୁଦ୍ଧରେ ସାର୍ବଜନୀନ ମନ୍ତବ୍ୟ ଦିଅନ୍ତୁ ନାହିଁ ।
ଆଡଭାଇଜରୀରେ ଆହୁରି କୁହାଯାଇଛି ଯେ – ଯଦି କେହି ନେତା ଏହାର ଉଲ୍ଲଂଘନ କରେ ତେବେ ଦଳର ସମ୍ବିଧାନ ଅନୁସାରେ ତାଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗୋଟିଏ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ଚଳାଇଛନ୍ତି ଓ ଦଳର ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ରାଜସ୍ଥାନରେ ଦଳ ପାଇଁ ଅତ୍ୟନ୍ତ ଅପ୍ରୀତିକର ସ୍ଥିତି ଉତ୍ପନ୍ନ ହୋଇଛି । ସୋନିଆ ଗାନ୍ଧୀ ପଠାଇଥିବା ଦଳର ପର୍ଯ୍ୟବେକ୍ଷକ ମାନଙ୍କୁ କଂଗ୍ରେସ ବିଧାୟକ ମାନେ ଭେଟିବାକୁ ମଧ୍ୟ ମନା କରି ଦେଇଥିଲେ । ଏହା ପରେ ରାଜସ୍ଥାନରେ କଂଗ୍ରେସ ହାଇକମାଣ୍ଡ ପାଇଁ ଅତ୍ୟନ୍ତ ଖରାପ ସ୍ଥିତି ଉତ୍ପନ୍ନ ହୋଇଥିଲା । ଏବେ ସୋନିଆ ଗାନ୍ଧୀ ନିଜର ଭାବମୂର୍ତିକୁ ସୁଧାରିବାକୁ ଏଭଳି ଆଡଭାଇଜରୀ ଜାରୀ କରିଛନ୍ତି ବୋଲି ରାଜନୈତିକ ବିଶ୍ଲେଷକ ମାନେ ମତ ଦେଇଛନ୍ତି ।