ଅର୍ଗସ ବ୍ୟୁରୋ: ଧର୍ମକୁ ଦ୍ବାହି, ସ୍ବଚ୍ଛତାର ନାହିଁ ଚିହ୍ନ ବର୍ଣ୍ଣ । ପୁରୀ ପୌରପାଳିକାରେ ମାଡିଛି ଦୁର୍ନୀତିର ଚେର । ଦୁର୍ନୀତିରେ ଲିପ୍ତ ପ୍ରଶାସନ ଓ ପ୍ରଶାସକ । ନଜର ପକାନ୍ତୁ ପୂର୍ବ ବର୍ଷର ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବଙ୍କୁ ରାଜ୍ୟ ଲୋକାଲ୍ ଫଣ୍ଡ ଅଡିଟର ନିର୍ଦ୍ଦେଶକ ଲେଖିଥିବା ଏହି ଚିଠି ଉପରେ । ଦୁର୍ନୀତି ଲୁଚାଇବାକୁ 3 ବର୍ଷ ହେବ ପୁରୀ ପୌରସଂସ୍ଥାର ହୋଇନି ଆର୍ଥିକ କାରବାର । କେବଳ ଏତିକି ନୁହେଁ ୨୦୧୮-୧୯ ଆର୍ଥିକ ବର୍ଷରୁ ୨୦୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ହୋଇଥିବା ଅଡିଟରୁ ବହୁ ପରିମାଣର ଅର୍ଥ ହେରଫେର ହୋଇଥିବା ଚିଠିରୁ ସ୍ପଷ୍ଟ ହୋଇଛି । ପୂର୍ବରୁ ରାଜ୍ୟ ଅର୍ଥ ବିଭାଗକୁ ମଧ୍ୟ ଏନେଇ ଅବଗତ କରାଇଥିଲେ ଲୋକାଲ୍ ଫଣ୍ଡ ଅଡିଟ ନିର୍ଦ୍ଦେଶକ । ଖାଲି ପୁରୀ ପୌରପାଳିକା ନୁହେଁ କୋଣାର୍କ NACରେ ମଧ୍ୟ ସମାନ ଦୁର୍ନୀତିର ଗନ୍ଧ ବାରି ହୋଇଥିଲା । ଫଳରେ ୨୦୨୧-୨୨ ଓ ୨୨-୨୩ରେ ଆର୍ଥିକ ଦେଣନେଣ ସମ୍ପର୍କିତ ଅଡିଟ୍ ହୋଇନାହିଁ ବୋଲି ଚିଠିରେ ସ୍ପଷ୍ଟ ଉଲ୍ଲେଖ ରହିଛି ।
ସେପଟେ ଗତ ମାର୍ଚ୍ଚ ସୁଦ୍ଧା ନଗର ଉନ୍ନୟନ ବିଭାଗ ପିଡି, ପୁରୀ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ଓ କୋଣାର୍କ NAC କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ କ୍ୟାସ୍ ବୁକ୍ ଅପଡେଟ୍ କରିବାକୁ ବି ଲୋକାଲ୍ ଫଣ୍ଡ ଅଡିଟ୍ ନିର୍ଦ୍ଦେଶକ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏହା ହୋଇପାରିଥିଲେ ଗତ ୩ ବର୍ଷ ୨୦୨୪-୨୫ ବର୍ଷର ଅଡିଟ୍ ପ୍ଲାନ୍ ମଧ୍ୟ କାର୍ଯ୍ୟକାରୀ ହୋଇପାରିଥାନ୍ତା । ହେଲେ ତାହା ବି ହେଲା ନାହିଁ । ଅନ୍ୟପଟେ ୨୦୧୯ରୁ ପୁରୀ ପୌରସଂସ୍ଥାର ନିର୍ବାଚିତ କାଉନସିଲ୍ ନାହିଁ । ସେବେଠୁ ଜିଲ୍ଲାପାଳ ପୁରୀ ପୌରସଂସ୍ଥାର ପ୍ରଶାସକ ଓ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉଛନ୍ତି ।
ବିଗତ ୫ ବର୍ଷରେ ୫ ଜଣ ଜିଲ୍ଲାପାଳଙ୍କ ବଦଳି ହୋଇଗଲେଣି, ମାତ୍ର ଅଡିଟ୍ ବିଭାଗ ବାରମ୍ବାର ଦୁର୍ନୀତି ନେଇ କରୁଥିବା ଚିଠିର ତଦନ୍ତ ପ୍ରତି ଦୃଷ୍ଟି ଦିଆଯାଉନି । ଯାହା ପୁରୀ ଜିଲ୍ଲା ପ୍ରଶାସନିକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିକୁ ପଦାରେ ପକାଇଛି । ଅନ୍ୟପଟେ ଏନେଇ ମୁହଁ ଖୋଲୁ ନାହାନ୍ତି ପୁରୀ ଜିଲ୍ଲାପାଳ । ଏଠି ପ୍ରଶ୍ନ, ପୁରୀ ପୌରସଂସ୍ଥାରେ ହୋଇଥିବା ଦୁର୍ନୀତି ଧରାପଡିଯିବା ଭୟରେ ଅଡିଟ୍ କରାଇ ଦେଉନାହାନ୍ତି କି ?। ନିଜକୁ ସୁରକ୍ଷିତ ରଖିବାକୁ ୟେ ବାଟ ଆପଣାଇଛନ୍ତି କି ସରକାରୀ ଅଧିକାରୀ ? । ଏସବୁର ତଦନ୍ତ ହେବା ନିତାନ୍ତ ଜରୁରୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: