ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ : ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ । ତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ ପ୍ରବାହିତ ହେଉଛି । ଫଳରେ କପିଆ ଗାଁରେ ଥିବା ସଂଯୁକ୍ତା ମେହେରଙ୍କ କୁକୁଡ଼ା ଫାର୍ମ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । କୁକୁଡ଼ା ଫାର୍ମରେ ଥିବା ହଜାର ହଜାର କୁକୁଡ଼ା ଛୁଆ ମରିଯିବା ସାଙ୍ଗକୁ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି । ସେହିଭଳି ଖଡ଼ିଆଳ ସିନାପାଲି ମୁଖ୍ୟରାସ୍ତାରେ ଗଛ, ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି । ଅମଳ ହେଉଥିବା ଅନେକ ଫସଲ ମଧ୍ୟ ନଷ୍ଟ ହେବା ଆଶଙ୍କା କରାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କରଡ଼ାବଣି ଗାଁରେ ଅଭାବନୀୟ ଘଟଣା। ଗାଁର ଜଣେ ଗର୍ଭବତୀଙ୍କୁ ଖଟିଆରେ ବୋହି ନଦୀ ପାର୍ କରିବା ପରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। କରଡାବଣି ଗାଁର ହରିହର ହାଁସଦାଙ୍କ ସ୍ତ୍ରୀ ବୀଜ ହାଁସଦାଙ୍କ ପ୍ରସବ ବେଦନା ହେବାରୁ ତାଙ୍କୁ ରାମିଆଳ ନଦୀ ପାର କରାଯାଇ ମେଡିକାଲକୁ ନିଆଯାଇଥିଲା । ପରେ କାମାକ୍ଷାନଗର ମେଡ଼ିକାଲରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ଜଣାପଡିଛି । କରଡ଼ାବଣି ଗାଁକୁ ଭଲ ରାସ୍ତା ନଥିବାରୁ ଲୋକମାନେ ଚିକିତ୍ସା କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି । ଯାହାର ଫଳ ସ୍ୱରୂପ ଆମ୍ୱୁଲାନ୍ସ ଆସିପାରୁନାହିଁ। ଅଣ୍ଟାଏ ଅଣ୍ଟାଏ ପାଣିରେ ଲୋକେ ଗର୍ଭବତୀ ମହିଳାଙ୍କୁ ନେଇ ଯିବାଆସିବା କରୁଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭଦ୍ରକ: ବାସୁଦେବପୁର ବ୍ଲକ କମାରଗାଁ ଠାରେ ଚୋରା ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ । ଗୋଟିଏ ସ୍କୁଟି ଗାଡି ସହିତ 8କିଲୋ ଗଂଜେଇ ଓ ଜଣକୁ ଗିରଫ କରିଛି ଅବକାରୀ ବିଭାଗ । ସ୍କୁଟିରେ ଗଂଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା।
ତେବେ ଏହି ଚଢ଼ାଉ ସମୟରେ ବାସୁଦେବପୁର ଅବକାରୀ ବିଭାଗର କର୍ମଚାରୀ ମାନେ ସାମିଲ ଥିଲେ । ଜବତ ହେଇଥିବା ସ୍କୁଟିରୁ ଗୋଟିଏ ବୁରାରେ 8କିଲୋ ଗଂଜେଇ କୁ ଜବତ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ବାସୁଦେବପୁର ଭୋଇ ସାହି ଅଂଚଳର ତାପସ ମହାନ୍ତି ବୋଲି ଜଣାପଡିଛି । ତେବେ ଦିନକୁ ଦିନ ବାସୁଦେବପୁର ଅଂଚଳରେ ଚୋରା ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି । ଗତ କିଛି ଦିନ ପୂର୍ବରୁ ପାଖାପାଖି 30କିଲୋ ଗଂଜେଇ ଜବତ ସହ 4ଜଣକୁ ଅବକାରୀ ବିଭାଗ ଓ ପୋଲିସ ଗିରଫ କରିଥିଲା । ପୁଣି ଅବକାରୀ ବିଭାଗ ଜଣକୁ ଗିରଫ କରିବା ସହ 8କିଲୋ ଗଂଜେଇ ଜବଦ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଭୁବନେଶ୍ୱର: ରାଜ୍ୟ ଗୃହ ବିଭାଗର ବଡ଼ ନିଷ୍ପତ୍ତି । ଏଣିକି ଆଉ ଡିଏସପି ରାଙ୍କ ଅଫିସରଙ୍କୁ ବଦଳି କି ନିଯୁକ୍ତି କରିପାରିବେନି ପୋଲିସ ଡିଜି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି । ଗୃହ ବିଭାଗ ସଚିବଙ୍କ ନେତୃତ୍ବରେ ଏକ କମିଟି ଗଢ଼ାଯିବ । ସେହି କମିଟି ହିଁ ଡିଏସପି, ଏଏସପି, ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ, ଡେପୁଟି କମାଣ୍ଡାଣ୍ଟଙ୍କର ବଦଳି ବା ନିଯୁକ୍ତି ନେଇ ନିଷ୍ପତ୍ତି ନେବ । ଗୃହ ବିଭାଗ ସଚିବଙ୍କ ବ୍ୟତୀତ ଡିଜିପି ଓ ଆଇଜି ପୋଲିସ ଏହି କମିଟିର ସଦସ୍ୟ ରହିବେ ।
ସେହିପରି ଗୃହ ବିଭାଗର ସ୍ବତନ୍ତ୍ର ସଚିବ, ଅତିରିକ୍ତ ସଚିବ କିମ୍ବା ଯୁଗ୍ମ ସଚିବ ମଧ୍ୟ ଏଥିରେ ସଦସ୍ୟ ରହିବେ । ପୂର୍ବରୁ ଡିଜିପିଙ୍କ ପାଖରେ ଥିବା ଏହି ବଡ଼ କ୍ଷମତାକୁ ଫେରାଇ ନିଆଯାଇଛି । ମୋହନ ସରକାର ଆସିବା ପରେ ପୋଲିସ ବିଭାଗରେ ହୋଇଥିବା ଏହି ବଡ଼ ନିଷ୍ପତ୍ତି ଏକଚାଟିଆ ବାବୁରାଜ ଖତମ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର