ସହରୀ ଭୋଟ୍ ହାତେଇବାକୁ ୩ ଦଳ ସମାନ ରଣନୀତି ଆପଣାଇଛନ୍ତି। ଶିକ୍ଷିତ ତଥା ଲୋକପ୍ରିୟ ପ୍ରାର୍ଥୀଙ୍କୁ ମଇଦାନକୁ ଉତାରୁଛନ୍ତି। ସମସ୍ତ ପ୍ରାର୍ଥୀଙ୍କ ଯୋଗ୍ୟତା ଆଧାରରେ ଏଥର ନିର୍ବାଚନ ହେବ। ସହରୀ ଭୋଟର ନିଜ ବିବେକ ଆଧାରରେ ଭୋଟ୍ ଦେବେ।
ଭୁବନେଶ୍ବର ମହାନଗର ନିଗମ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ବେଳେ। ବିଜେଡି ସୁଲୋଚନା ଦାସଙ୍କୁ ପ୍ରାର୍ଥୀ କରିଛି ଏବଂ ବିଜେପି ସୁନୀତି ମୁଣ୍ଡ୍ଙ୍କୁ ପ୍ରାର୍ଥୀ କରିଛି। ସେପଟେ କଂଗ୍ରେସ ବି ପଛରେ ନାହିଁ । ଅନ୍ୟମାନଙ୍କ ପ୍ରାର୍ଥୀ ଘୋଷଣା ଆଗରୁ କଂଗ୍ରେସ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମେୟର ପ୍ରାର୍ଥୀ ଭାବେ ନାଁ ଘୋଷଣା କରିଥିଲା।
ଏ ତିନିଜଣ ପ୍ରାର୍ଥୀ ଉଚ୍ଚଶିକ୍ଷିତା। ବିଜେଡି ପ୍ରାର୍ଥୀ ସୁଲୋଚନା ବୈଦୁତିକ ଗଣମାଧ୍ୟମରେ ସାମ୍ବାଦିକ ଭାବେ କିଛି ଦିନ କାର୍ଯ୍ୟ କରିଛନ୍ତି। ପରେ ଦଳୀୟ ସାଙ୍ଗଠନିକ କାର୍ଯ୍ୟ ସମ୍ପାଦନ କରି ରାଜନୀତି ମଇଦାନକୁ ଓହ୍ଲାଇଛନ୍ତି। ସେହିପରି ବିଜେପିର ସୁନୀତି ମୁଣ୍ଡ୍ ମଧ୍ୟ ଛାପା ଗଣମାଧ୍ୟମରେ କିଛି ଦିନ କାମ କରିବା ପରେ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ନିଜ କାର୍ଯ୍ୟ ତୁଲାଇଛନ୍ତି। ସାହିତ୍ୟିକ ମହଲରେ ତାଙ୍କର ଭଲ ଆଦର ରହିଥିବା ବେଳେ ଅନେକ ପୁସ୍ତକ ମଧ୍ୟ ସେ ରଚନା କରିଛନ୍ତି। ରାଜନୀତି କ୍ଷେତ୍ରରେ ନୂଆକରି ପାଦ ଥାପିଥିଲେ ବି ବିଜେପିର ଲୋକପ୍ରିୟତା ତାଙ୍କୁ ବିଜୟ ତିଳକ ପିନ୍ଧାଇବ ବୋଲି ସେ ଆଶାବାଦୀ ଅଛନ୍ତି। ଲୋକପ୍ରିୟତା କ୍ଷେତ୍ରରେ ପଛରେ ନାହାନ୍ତି କଂଗ୍ରେସ ମେୟର ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟ। ଏକଦା ଛାତ୍ର ରାଜନୀତିରେ ସକ୍ରିୟ ଥିବା ମଧୁସ୍ମିତା ଏଥର ପ୍ରତ୍ୟକ୍ଷ ରାଜନୀତିରେ ମଇଦାନକୁ ଓହ୍ଲାଇଛନ୍ତି। ପୂର୍ବରୁ ସେ କମଳା ନେହେରୁ କଲେଜର ଛାତ୍ରସଂସଦ ସଭାପତି ଥିଲେ । ସେ ଜଣେ ଉଚ୍ଚଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍, ଓଡ଼ିଶୀ ନୃତ୍ୟ ଶିଳ୍ପୀ । ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ ହେଉଛନ୍ତି ମଧୁସ୍ମିତା।
ଏହି ତିନି ପ୍ରାର୍ଥୀଙ୍କ ମଧ୍ୟରୁ ଭୁବନେଶ୍ୱର ବାସିନ୍ଦା କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି, ତାହା ଦେଖିବାକୁ ରହିଲା।