ଦିନେ ଅନେକ କଳାକାରଙ୍କୁ ଗଢି ତୋଳିଥିଲା ଅନ୍ନପୂର୍ଣ୍ଣା । ଯେଉଁମାନେ ଆଜି ମଞ୍ଚ ଓ ଫିଲ୍ମ ଦୁନିଆରେ ବଡନାମ ପାଲଟିଛନ୍ତି ସେଥିରୁ ଅନେକଙ୍କୁ ପରିଚୟ ଦେଇଥିଲା ଏହି ମଞ୍ଚ । ଖାଲି ପରିଚୟ କାହିଁକି ଏହି ମଞ୍ଚ ଦେଇଥିଲା ବଞ୍ଚିବାର ରାହା,ଆଶା,ସ୍ୱପ୍ନ । ଆଜି ନିଜେ କିନ୍ତୁ ରାହା ଖୋଜୁଛି ଏହି ରଙ୍ଗମଞ୍ଚ। ଦିନେ ଲୋକପ୍ରିୟତା ଦୃଷ୍ଟିରୁ ପୁରୀରେ କ ଗ୍ରୁପ ଓ କଟକରେ ଖ ଗ୍ରୁପ ଏହିପରି ଦୁଇ ଭାଗରେ ବିଭକ୍ତ ହୋଇଥିଲା ଅନ୍ନପୂର୍ଣ୍ଣା । ଆଉ ଶ୍ରୀକ୍ଷେତ୍ରର ଏକ ରଙ୍ଗମଞ୍ଚ ପାଇଥିଲା ମଞ୍ଚ ନାଟକରେ ସ୍ୱତନ୍ତ୍ର ପରିଚୟ । ହେଲେ ଏହି କୋଠାର ରକ୍ଷଣା ବେକ୍ଷଣ ନକରି କଳାକାର ଙ୍କୁ ଅସୁରକ୍ଷିତ ଭାବରେ ଛାଡିଦେବା ଦୁର୍ଭାଗ୍ୟଜନକ। ରଙ୍ଗମଞ୍ଚ ପରିଚାଳନା କମିଟିର ଅଧ୍ୟକ୍ଷ ନିଜେ ଜିଲ୍ଲାପାଳ ରହିଥିବା ବେଳେ ବି ଅବହେଳିତ ଏହି ରଙ୍ଗମଞ୍ଚ କୋଠା । କାଠ ଭାରାରେ ଲଟକିଛି ଏହାର ଛାତ । ଭାଂଗିଗଲାଣି ପଲସ୍ତରା ଓ କାଠ । ବାଲକୋନି ଠାରୁ ଝରକା ସବୁ ବିପର୍ଯ୍ୟସ୍ତ। ସେପଟେ ପୁରୀ ଅତିରିକ୍ତ ଜିଲ୍ଲାପାଳ ଏନେଇ ଚିରାଚରିତ ମତ ରଖିଛନ୍ତି ।
ତିନି ଦଶନ୍ଧିର ଅବହେଳା ଏବଂ ପରେ 2013 ଫାଇଲିନ ବାତ୍ୟା ଏହାର ଅଶେଷ କ୍ଷତି ସାଧନ କରିଥିବା ବେଳେ ମାଟିରେ ମିଶିଯିବାକୁ ବସିଛି ଅନ୍ନପୂର୍ଣା ରଙ୍ଗମଞ୍ଚ। ବିଶ୍ୱ ନାଟ୍ୟ ଦିବସରେ ଏଭଳି ଏକ ପରମ୍ପରା, ଓ କଳା ସମ୍ପନ୍ନ ମଞ୍ଚକୁ ଦେଖିବା କଳାକାରଙ୍କ ଭାବାବେଗକୁ ଆଘାତ ସଦୃଶ ହୋଇଛି । ଗୋଟିଏ ପଟରେ ସିନେମା ହଲ ଶୁନ୍ୟ ହୋଇଥିବା ପୁରୀ ଏବେ ଏହି ଏକମାତ୍ର ରଙ୍ଗମଞ୍ଚକୁ ମଧ୍ୟ ହରେଇବାକୁ ବସିଥିବା ବେଳେ କଳାପ୍ରେମୀ ମାନେ ଏହାର ପୁନଃରୁଦ୍ଧାର ଦାବି କରିଛନ୍ତି ।
ଅଧିକ ଓଡ଼ିଶା ଖବର ପଢ଼ନ୍ତୁ