
ବରଗଡ: ବରଗଡ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି କର୍କଟ ରୋଗୀଙ୍କ ସଂଖ୍ୟା । ମୃତ୍ୟୁ ମୁଖକୁ ଠେଲି ହୋଇ ଯାଉଛନ୍ତି ଜଣକ ପରେ ଜଣେ । କାରଣ ଖୋଜୁ ଖୋଜୁ ଜଣା ପଡିଛି ଚାଷରେ ବ୍ୟବହାର ହେଉଥିବା ପ୍ରଚୁର ପରିମାଣରେ ସାର ଓ କୀଟନାଶକ ଔଷଧ ହିଁ କ୍ୟାନସର୍ ରୋଗର ଅନ୍ୟତମ କାରଣ । ଯାହାକୁ ନେଇ କଟକ,ଦିଲ୍ଲୀ ,ବମ୍ବେ ଓ ଓ୍ୱାଲଟିୟର ପରି ବଡ ବଡ ସହରରେ ଡାକ୍ତର ଖାନାରେ ବରଗଡ ଜିଲ୍ଲାର ରୋଗୀ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ଆରମ୍ଭ ହୋଇଛି ସଚେତନତା ଶୋଭାଯାତ୍ରା । ଏହାସହ ବିଷମୁକ୍ତ ଚାଷ ପାଇଁ ସଚେତନତା କାର୍ଯ୍ୟକ୍ରମ ସହ ବିଷମୁକ୍ତ ଚାଷ ।

ବରଗଡ ଜିଲ୍ଲା ଏକ ଚାଷୀ ବହୁଳ ଜିଲ୍ଲା, ଉନ୍ନତମାନର ଫସଲ ପାଇଁ ରାସାୟନିକ ସାର ଓ ରୋଗ ପୋକ ଦାଉରୁ ରକ୍ଷା ପାଇବା ପାଇଁ ବହୁଳ ପରିମାଣର କୀଟନାସକ ବ୍ୟବହାର କରାଯାଇଛି । ଯାହାକୁ ନେଇ କର୍କଟ ରୋଗର ମ଼ୂଖ୍ୟ କାରଣ ବୋଲି ଜଣା ପଡିଥିବାବେଳେ ବିଭିନ୍ନ ମୋବାଇଲ ଟାୱାରର ବିକିରଣ ରଶ୍ମି, ପ୍ଲାଷ୍ଟିକ ଜରିରେ ଗରମ ଖାଦ୍ୟ ନେଇ ତାକୁ ଖାଇବା, ସିଗାରେଟ ତମ୍ବାଖୁ, ଗୁଟଖା ଆଦି ବ୍ୟବହାର ଯୋଗୁଁ କର୍କଟ ରୋଗରେ ଅନେକ ଲୋକ ରୋଗଗ୍ରସ୍ଥ ହେବାରେ ଲାଗିଛନ୍ତି । ଦେଶର ଦ୍ୱୀତିୟ ସ୍ଥାନ ଭାବେ ଓଡିଶାର ବରଗଡ ଜିଲ୍ଲା କ୍ୟାନସର ଜୋନ ଭାବେ ଡାକ୍ତରମାନେ ମତଦେଉଥିବାବେଳେ ଏବେ ସାଧାରଣ ଜନତା, ମାରୱାଡି ୟୁବାମଞ୍ଚ ଓ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଫାଇଟର ସଂଘ ସଚେତନତା ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଚାଷୀମାନେ ମଧ୍ୟ ବିଷମୁକ୍ତ ଚାଷପାଇଁ ସଚେତନତା କାର୍ଯ୍ୟକ୍ରମ ସହ ଚାଷ ଆରମ୍ଭ କରି ସୃଷ୍ଟି କରିଛନ୍ତି ଉଦାହରଣ ।

ବିଭିନ୍ନ ପ୍ରକାରର ପନିପରିବା ଚାଷ ସହ ଧାନ ଚାଷ ବରଗଡ ଜିଲ୍ଲାରେ ଚାଷୀମାନଙ୍କ ଜୀବନ ଜୀବିକାର ମାଧ୍ୟମ ହୋଇଥିବାବେଳେ କିପରି ଅଧିକ ଅମଳ ହୋଇପାରିବ ସେନେଇ ଚାଷ ଆରମ୍ଭରୁ ରାସାୟନିକ ସାର ଓ ରୋଗପୋକର ଦାଉରୁ ରକ୍ଷା ପାଇବା ପାଇଁ ବହୁଳ ପରିମାଣରେ କୀଟନାଶକ ପ୍ରୟୋଗ କରିଥାନ୍ତି । ରବି ଓ ଖରିଫ ଦୁଇଟି ଋତୁରେ ଧାନ ଫସଲ କରି ଅଧିକ ରୋଜଗାରକ୍ଷମ ହୋଇପାରିଥାନ୍ତି । ତେବେ ସାଧାରଣ ଲୋକ କିପରି ବିଷ ମୁକ୍ତ ଖାଦ୍ୟ ଖାଇ ଜୀବନକୁ ଦୀର୍ଘାୟୁ କରିପାରିବ ସେ ନେଇ ଏବେ ଚାଷୀ ପୁଣି ଫେରିବା ପାଇଁ ଚେଷ୍ଟା କରିଛି ଜୈବିକ ପ୍ରଣାଳିରେ ଚାଷ କରିବା ପାଇଁ ।
ବରଗଡ ଜିଲ୍ଲାରେ ଖାଉଟିଙ୍କ ପାଇଁ ଏବେ ଜୈବିକ ପ୍ରଣାଳୀରେ ଚାଷ କରୁଥିବା ତିନୋଟି ସ୍ଲୋଗାନରେ ସଚେତନତା କରୁଛି ଚାଷୀ ସଂଗଠନ । ଋଣମୁକ୍ତ ଚାଷ, ବିଷମୁକ୍ତ ଶଶ୍ୟ ,ଆତ୍ମ ନିର୍ଭରଶୀଳ ଚାଷୀ, ପାଇଁ ଏବେ ଦେଶୀ ଧାନ ଚାଷ ସହ ବିଭିନ୍ନ ସଂଗଠନ ଓ ଗାନ୍ଧୀ ପାଠାଗାର ପକ୍ଷରୁ ପ୍ରୟାସ ଆରମ୍ଭ କରାହେଇଛି । ତେବେ ଏନେଇ ଗାନ୍ଧୀ ଭବନ ଠାରେ ମଧ୍ୟ ବିଭିନ୍ନ ପ୍ରକାରର ପନିପରିବା ସହ ଧାନ ଅମଳ ଓ ଚାଷ ପ୍ରଣାଳୀ ବିଷୟରେ ସଚେତନତା ସହ ବ୍ୟବସାୟ କରି ଚାଷୀ ସଚେତନାତା ସୃଷ୍ଠି କରିବା ଏକ ପ୍ରଶଂସନୀୟ ଉଦ୍ୟମ ବୋଲି କହିଛନ୍ତି ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ ।
