୨୪ ବର୍ଷ ପରେ ରାଜ୍ୟରେ ସରକାର ବଦଳିଲା । ହେଲେ ଏହାକୁ ସହଜରେ ଗ୍ରହଣ କରିପାରିଲାଣି ବୋଧହୁଏ ବିରୋଧୀ ବିଜେଡି । ସେଇଥି ଲାଗି ତ ପାଣି ବିନା ମାଛ ଯେମିତି ଛଟପଟ ହୁଏ ଠିକ୍ ସେମିତି କ୍ଷମତା ବିନା ବିଜେଡି ହେଉଛି । ସେଇଥି ଲାଗି ତ ଏବେ କଂଗ୍ରେସ ସହ ହାତ ମିଳାଇ ଶାସନ କରିବାକୁ ଉଦ୍ୟମ କରୁଛି ବିଜେଡି । ସେପଟେ, ଭିତରିଆ ବୁଝାମଣାର ଅଧିକ ଖୁଲାସା ହେବା ପୂର୍ବରୁ ଦେବାଶିଷଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ କହି ଡ୍ୟାମେଜ କଣ୍ଟ୍ରୋଲ ପାଇଁ ଉଦ୍ୟମ କରିଛି ବିଜୁ ଜନତା ଦଳ । ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି ନ୍ୟାୟରେ ଯେତେ ଲୁଚାଇବାକୁ ଚେଷ୍ଟା କଲେ ମଧ୍ୟ ବିଜେଡି କଂଗ୍ରେସର ନୀକଟତର ହୋଇଥିବା କଥା କାହାକୁ ଅଛପା ନାହିଁ । ଗତ ବିଧାନସଭା ଅଧିବେଶନରେ ବି ଦୁଇ ଦଳ ମଧ୍ୟରେ ଉତ୍ତମ ତାଳମେଳ ସେ ଦିଗକୁ ଇସାରା କରୁଛି । ୨୦୦୯ରେ ମଧ୍ୟ ବିଜେପି- ବିଜେଡି ମେଣ୍ଟ ଭାଙ୍ଗିବା ପରେ ସଂଖ୍ୟା ନଥାଇ ବି କଂଗ୍ରେସର ପରୋକ୍ଷ ସହଯୋଗରୁ ନବୀନଙ୍କ ଗାଦି ସୁରକ୍ଷିତ ରହିଥିଲା । ତେଣୁ ଦେବାଶିଷଙ୍କ କଥାର ଆଧାର ରହିଥିବା କହିଛନ୍ତି ରାଜନୀତି ସମୀକ୍ଷକ ।
ରାଜ୍ୟରେ ଯେତେବେଳେ ବିଜେଡି ସରକାର ଥିଲା, ସେତେବେଳେ ଅନେକ ସମୟରେ କଂଗ୍ରେସ ଜାଣିଶୁଣି ଚୁପ୍ ରହିଥିଲା । ଆଉ ଏବେ ବିଜେଡି ପରି କଂଗ୍ରେସ ବି ଦୁଇ ଦଳ ଭିତରେ କିଛି ସମ୍ପର୍କ ଥିବା ଉପରକୁ ଦେଖାଇବାକୁ ଚାହୁଁନାହିଁ । ସେପଟେ ଦେବାଶିଷଙ୍କ ବୟାନ ନେଇ ବିଜୁ ଜନତାଦଳକୁ ଧୋଇଛି ବିଜେପି । କହିଛି ଦିବାସ୍ବପ୍ନ ଦେଖୁଛନ୍ତି ବିଜେଡି ନେତା । ବିଜେଡିରୁ ଜଣକ ପରେ ଜଣେ ବିଜେପିକୁ ଆସୁଛନ୍ତି, ବିଜେଡିର ଘର ଖାଲି ହୋଇଗଲାଣି । ତେଣୁ ଏଭଳି ମନ୍ତବ୍ୟ ଦେଇ ନିଜ କର୍ମୀଙ୍କୁ ବଳ ଦେବାକୁ ଚେଷ୍ଟା କରୁଛି ବିଜେଡି । ୨୪ ବିଧାନସଭା ନିର୍ବାଚନରେ ବିଜେଡିକୁ ସରକାରରୁ ଓପାଡ଼ି ଫୋପାଡ଼ିଦେଲେ ଓଡ଼ିଶାବାସୀ । ହେଲେ କ୍ଷମତାର ନିଶା ଏପରି ଲାଗିଛି ବିଜୁ ଜନତା ଦଳକୁ ଯେଉଁ କଂଗ୍ରେସ ଶାସନକୁ ବିରୋଧ କରି ହୋଇଥିଲା ବିଜେଡିର ସୃଷ୍ଟି ଏବେ କ୍ଷମତା ପାଇଁ ସେହି ଦଳର ହାତ ଧରିବାକୁ ଚିନ୍ତା କରୁଛି ।
ମୋଟ୍ ଉପରେ, ରାଜ୍ୟରେ ଏବେ ନୂଆ ସରକାର ଆସିବା ପରେ ନୂଆ ଯୋଜନା ହେଉଛି । ଲୋକଙ୍କୁ ଅନେକ ଫାଇଦା ମିଳୁଛି । ଏମିତିକି ଦୋଷୀଙ୍କ ବିରୋଧରେ କଡ଼ା ଆକ୍ସନ ନିଆଯାଉଛି । ଯାହା ପୂର୍ବ ସରକାରରେ ହେଉନଥିଲା । ତେଣୁ ବିଜେଡିର ଛାନିଆ ହେବା ସ୍ଵାଭାବିକ । ତେବେ ସମୟ କହିବ ଆଗାମୀ ଦିନରେ ରାଜନୈତିକ ସମୀକରଣର ଗତି ଯାଉଛି କୁଆଡ଼େ ?