ବିଜେଡି ହାରିବା ପରେ ଦଳରେ ଏବେ ପ୍ରବଳ ଅସନ୍ତୋଷ । କେମିତି ଦଳ ହାରିଲା ? କାହିଁକି ହାରିଲା ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଛି । କାରଣ ଦଳ ହାରିବା ପରେ ପାଣ୍ଡିଆନ ଏବଂ ଗୋଟିଏ ନିର୍ଦ୍ଧିଷ୍ଟ ଗୋଷ୍ଠୀ ବିରୋଧରେ ତୀବ୍ର ହୋଇଥିଲା ଅସନ୍ତୋଷ। ଏମିତି କି ଦଳୀୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ବି ପଡ଼ିଥିଲା ପାଣ୍ଡିଆନ ବିରୋଧୀ ନାରା । ହେଲେ ପରେ ପାଣ୍ଡିଆନଙ୍କୁ ନବୀନଙ୍କ କ୍ଲିନ୍ ଚିଟ୍, ଏମିତିକି ପାଣ୍ଡିଆନଙ୍କୁ ଦୋଷ ନଦେବାକୁ ନିବେଦନ କରିଥିଲେ ବିଜେଡି ସୁପ୍ରିମୋ। ଏହାସହ ଦଳ ହାରିବା ପଛର କାରଣ ଖୋଜା ଚାଲିଛି ବି କହିଥିଲେ । କିନ୍ତୁ କାହିଁକି ଦଳ ହାରିଲା ସେନେଇ ଏବେ ସୁଦ୍ଧା କୌଣସି ରିପୋର୍ଟ ଦିଆଯାଇନି ବୋଲି ଜଣାପଡ଼ିଛି । ହେଲେ ଦଳର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ଏକଥା ପଚାରିବାରୁ ସେ ଫିଡକି ଯିବା ସହ ଦଳର ଆଭ୍ୟନ୍ତରୀଣ କଥା ମିଡିଆକୁ କାହିଁକି କହିବୁ ବୋଲି ଓଲଟି ପ୍ରଶ୍ନ କରିଥିଲେ ।
ସାଧାରଣ ନିର୍ବାଚନର ଫଳ ବାହାରିବାର ପାଖାପାଖି ୧୫ ଦିନ ବିତିଲାଣି । କିନ୍ତୁ ପରାଜୟର କାରଣ ଖୋଜିପାରୁନି ବିଜେଡି । ପରାଜୟର ୧୫ ଦିନ ପରେ ବି ନା ସମୀକ୍ଷା ବୈଠକ ବସି ପାରିଲା ନା ଫାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇପାରିଲା । ଏତେ ସବୁ ପରେ ବି ପାଣ୍ଡିଆନଙ୍କ କଥା ପଚାରିଲେ ଏଡାଇ ଯାଉଛନ୍ତି ବିଜେଡି ନେତା । କିନ୍ତୁ ସେମାନେ କାହିଁକି ମୁହଁ ଖୋଲୁନାହାନ୍ତି ତାହାକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି ।
ଏପଟେ ବିରୋଧୀ ଦଳ ନେତା ପାଇଁ ଗତକାଲି ଶଙ୍ଖ ଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିଥିଲା । ଆଉ ନବୀନଙ୍କୁ ବିରୋଧୀ ଦଳର ନେତା ଭାବରେ ନିର୍ବାଚିତ କରାଯାଇଛି । କଥାହେଲା ମୁଖ୍ୟମନ୍ତ୍ରୀ ଥିବା ବେଳେ ନବୀନ ବିଧାନସଭାରେ ନିୟମିତ ଉପସ୍ଥିତ ରୁହନ୍ତି ନାହିଁ । ହେଲେ ଏବେ ଗୁରୁଦାୟିତ୍ଵ ମିଳିବା ନବୀନଙ୍କୁ ନେଇ ଚର୍ଚ୍ଚା ଜୋର ହୋଇଛି । ସେପଟେ ପାଣ୍ଡିଆନ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ବି ଭୁବନେଶ୍ୱରରେ ରହିବା ସହ ନବୀନ ନିବାସକୁ ମଧ୍ୟ ଯିବା ଆସିବା କରୁଥିବା କୁହାଯାଉଛି । ତେଣୁ ଆଗକୁ ବିଜେଡି ପାଣ୍ଡିଆନ ସିଣ୍ଡ୍ରୋମରୁ କେତେଦୂର ମୁକୁଳି ପାରୁଛି, ତା ଉପରେ ନଜର ।