ଯେତିକି ତ ଥିଲେ ଥିଲେ ଏବେ ପୁଣି ଅନ୍ୟ ଦଳରୁ ନେତା ଆଣି ଦଳରେ ସାମିଲ କରୁଛି ବିଜେଡି । ସାମିଲ କରିବାରେ କୌଣସି ଭୁଲ ନାହିଁ । ହେଲେ ଏତେ ନେତାଙ୍କୁ କେମିତି ଥଇଥାନ କରିବ ସେନେଇ ଶୀର୍ଷ ନେତୃତ୍ଵ ବି ଚିନ୍ତାରେ । ଗ୍ରାଉଣ୍ଡରେ ବି ଏହାକୁ ନେଇ କେଁ ରହିଛି । କାରଣ କର୍ମୀ ଓ ପୁରୁଖା ନେତା ସିଧାସଳଖ କହୁଛନ୍ତି ଦଳ ଯାହାକୁ ଟିକଟ ଦେଉଛି ଦେଉ ହେଲେ ନୂଆ ନେତାଙ୍କୁ ନଦେଉ । କାରଣ ସେମାନେ କିଛି ପରିଶ୍ରମ କରିନାହାନ୍ତି, କେବଳ ଫାଇଦା ପାଇଁ ଦଳକୁ ଆସିଛନ୍ତି । ତେଣ଼ୁ ଟିକଟ ଦେଲେ ଅସନ୍ତୋଷ ବଢିବା ସହ ବିଦ୍ରୋହ ବି ବଢିବ ବୋଲି କର୍ମୀ କହିଲେଣି ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ୧୯ ନିର୍ବାଚନରେ ଦଳକୁ ଯେଉଁମାନେ ହରାଇଥିଲେ ଆଜି ସେମାନଙ୍କୁ ରେଡ୍ କାର୍ପେଟ୍ ଦେଇ ବିଜେଡି ସ୍ଵାଗତ କରିଛି । ଖାଲି ସ୍ଵାଗତରେ କଥା ସରିନି ବରଂ ତାଙ୍କୁ କାଳେ ଟିକଟ ଦେବା ପାଇଁ ଅଙ୍କକଷା ଯାଉଛି ବୋଲି ଚର୍ଚ୍ଚା ହେଉଛି । ସେଇଥି ଲାଗି ତ ବିରୋଧ ହେଉ ଥିବା ଚର୍ଚ୍ଚା ଜୋର । କାରଣ ଖଡିଆଳ, ପାରାଦ୍ଵୀପ, ନୟାଗଡ଼, ରାଜନଗର ଆଦି ଆସନରୁ ବିରୋଧୀ ଦଳରେ ଥିବା ନେତାଙ୍କୁ ଦଳ ଏବେ ନିଜ ପାଖକୁ ଆଣିଛି । ପୂର୍ବରୁ ବିରୋଧୀଙ୍କୁ ଦଳରେ ସାମିଲ କରିଥିବାରୁ ତେଲକୋଇର ଷ୍ଟାଣ୍ଡିଂ ଏମଏଲଏ ଦଳ ଛାଡି ଦେଇଥିଲେ । ତେଣୁ ଗୋଟିଏ କଥା ସ୍ପଷ୍ଟ, ବାହାର ନେତାଙ୍କୁ ଗୋଟାଇବ ତ ବିଦ୍ରୋହ ବଢିବ । ହେଲେ ଏବେ ଦଳ କରିବ କଣ ? ତାହାକୁ ନେଇ ବଢିଲାଣି ଚର୍ଚ୍ଚା ।