ଅର୍ଗସ ବ୍ୟୁରୋ: ଓଡିଶାରେ କେମିତି ହେବ ଡବଲ ଇଞ୍ଜିନ୍ ସରକାର । କେଉଁ ପ୍ରସଙ୍ଗ ସରକାର ପରିବର୍ତ୍ତନ ପାଇଁ ମାହୋଲ ସୃଷ୍ଟି କରିବ। କଣ କଲେ ଓଡିଶାର ଲୋକେ ବିଜେପିକୁ ସରକାରରେ ବସାଇବେ । ଏ ସବୁକୁ ନେଇ ମାନସ ମନ୍ଥନ ଚଳାଇଛି ବିଜେପି । 25 ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ପ୍ରସ୍ତୁତ କରିଛି ବଡ ଷ୍ଟ୍ରାଟେଜି । ରାଜ୍ୟ କାର୍ଯ୍ୟାଳୟରେ ବସିଥିବା ବୈଠକରେ ନେତାଙ୍କୁ ଦିଆଯାଇଛି କଡା ଟ୍ୟାକ୍ସ । ସେପଟେ ବିଜେଡି ସୁପ୍ରିମୋ ବି ତୁଙ୍ଗ ନେତା ମାନଙ୍କୁ ନେଇ ନବୀନ ନିବାସରେ କରିଛନ୍ତି ରାତି ଅଧିଆ ବୈଠକ । ରାଜ୍ୟରେ ଷଷ୍ଠ ଥର ଲାଗି ସରକାର ଗଢିବାକୁ ପ୍ରସ୍ତୁତ କରିଛନ୍ତି ରୋଡମ୍ୟାପ୍ । ଦୁର୍ବଳ ଥିବା ସଙ୍ଗଠନକୁ ସୁଦୃଢ କରିବା, ସରକାର ବିରୋଧୀ ମାହୋଲକୁ କାଉଣ୍ଟର କରିବା ଓ ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ନେତାଙ୍କୁ ନିର୍ଦେଶ ଦେଇଛନ୍ତି ନବୀନ ।
ସେପଟେ ଉଭୟ ବିଜେପି ଓ ବିଜେଡିର ସାଙ୍ଗଠନିକ ଫୋକସରେ ରହିଛି ଛାତ୍ର, ଯୁବ ଓ ମହିଳା ସଙ୍ଗଠନ । ନିର୍ବାଚନରେ ସୋଶିଆଲ ମିଡିଆକୁ ମୁଖ୍ୟ ଆୟୁଧ ଭାବେ ବ୍ୟବହାର କରିବାକୁ କରିଛନ୍ତି ଯୋଜନା । ରଣନୀତି ମୁତାବକ ବିଜେପି ତାର ଯୁବ ଓ ଛାତ୍ର ଉଇଙ୍ଗକୁ ସୋସିଆଲ ମିଡିଆ ପ୍ରଶିକ୍ଷଣ ଦେଇଛି । ସେହିପରି ବିଜେଡି ଆସନ୍ତା 6 ଓ 14 ତାରିଖରେ ଯୁବ ଓ ଛାତ୍ର ସମାବେଶ କରିବାକୁ ନିଷ୍ପତ୍ତି ନେଇଛି ।
ଅନ୍ୟପଟେ କଂଗ୍ରେସ କିନ୍ତୁ ଘର କଳିରୁ ବାହାରି ପାରୁନି । ନେତା ନେତାଙ୍କ ଭିତରେ ଲାଗିଥିବା କଳିରେ ଗ୍ରାଉଣ୍ଡରେ ପହଞ୍ଚିପାରୁନି କଂଗ୍ରେସ । ଦଳର ବିଧାୟକ କଟାକ୍ଷ କରି କହିଛନ୍ତି ବିଜେପି-ବିଜେଡି ଗ୍ରାଉଣ୍ଡକୁ ଯାଇ ନିର୍ବାଚନ ପ୍ରସୁତ କରୁଥିବା ବେଳେ ଆମେ ଘରେ ରହି ପ୍ରସ୍ତୁତ ହେଉଛୁ । ଆମ ନିଜ ନିଜ ଭିତରେ ଚାଲିଥିବା ଲଢେଇ ଶେଷ ହେଲାପରେ ଆମେ ମଇଦାନକୁ ଯିବୁ ।
ସାଧାରଣ ନିର୍ବାଚନକୁ ଖୁବ୍ କମଦିନ ଥିବା ବେଳେ ଛତିଶଗଡ, ରାଜସ୍ଥାନ,ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ସହ ଓଡିଶା ଆଗୁଆ ନିର୍ବାଚନ କୁ ଯାଇପାରେ ବୋଲି ଚର୍ଚ୍ଚା ହେଉଛି । ଯେଉଁଥିପାଇଁ ଉଭୟ ବିଜେପି ଓ ବିଜେଡି ପ୍ରସ୍ତୁତି କୁ ଯୋରଦାର କରିଛନ୍ତି । ବିଜେପି ଘନ ଘନ ବୈଠକ ଡାକୁଥିବା ବେଳେ ଗୋହାଟି ବୈଠକରେ ବଡ ରଣନୀତି ପ୍ରସ୍ତୁତି କରିବା ନେଇ ଆଭାଷ ଦେଇଛି । ବିଜେଡି ବି ପୂର୍ବରୁ ତିନୋଟି ପର୍ଯ୍ୟାୟରେ 90ରୁ ଅଧିକ ନେତାଙ୍କୁ ଟିକେଟ ନେଇ ଗ୍ରୀନ ସିଗନାଲ ଦେଇ ସାରିଛି । ତେବେ ସୋମବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ଦଳର 23 ଜଣ ତୁଙ୍ଗ ନେତାଙ୍କୁ ଡାକି ନିର୍ବାଚନ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେବା ବଡ ସଙ୍କେତ ବୋଲି କୁହାଯାଉଛି ।
ଅଧିକ ପଢ଼ନ୍ତୁ ରାଜନୀତି ଖବର