କେନ୍ଦୁଝର ଜିଲ୍ଲା ଯୋଡା ଥାନାରେ ହାଜତ ମୃତ୍ୟୁ ଗୋଟିଏ ଘଟିଛି ତାହା ନୁହେଁ ଏହା ପୂର୍ବରୁ ଗତ ବର୍ଷ ଜାନୁୟାରୀ ମାସରେ ମଧ୍ୟ ଜିଲ୍ଲା ଖଣି ଅଂଚଳରେ ଏକ ହାଜତ ମୃତ୍ୟୁ ଘଟିଥିଲା । ବାରମ୍ବାର ହାଜତ ମୃତ୍ୟୁ ଘଟିବା ଏବଂ ଖଣି ମାଫିଆମାନଙ୍କ ପୋଲିସର ସମ୍ପର୍କ ପାଇଁ କେନ୍ଦ୍ରୁଝର ଜିଲ୍ଲା ଯୋଡା ବଡବିଲ ଅଂଚଳ ଦୁଃନାମ ସହୁଛି । ଏନେଇ ଗତ ୩ଦିନ ତଳେ କେନ୍ଦୁଝର ଜିଲ୍ଲା ଏସ୍ପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା । କିନ୍ତୁ ଏସ୍ପି ଏଯାଏଁ କୌଣସି ପଦକ୍ଷେପ ନେଲେ ନାହିଁ । ଫଳରେ ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧିମଣ୍ଡଳୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ମୃତ ଦିନେଶଙ୍କ ପରିବାର ପୋଲିସ ଭୟରେ ପାଟି ଖୋଲୁନାହାନ୍ତି । ଅଭିଯୁକ୍ତ ଆଦିବାସୀ ଯୁବକଙ୍କର ପୋଲିସ ହେପାଜତରେ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ବିଜେପି ଦୃଢ଼ ନିନ୍ଦା କରିଛି । କେନ୍ଦୁଝର ଜିଲ୍ଲା ଏସ୍ପି ଏନେଇ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ତାଙ୍କୁ ପଦବୀରୁ ବହିଷ୍କାର କରାଯାଉ । ଯୋଡା ଥାନାରେ ଏଭଳି ଘଟଣା ଘଟିଥିବା କାରଣରୁ ସେହି ଥାନା ଅଫିସରଙ୍କ ବିରୋଧରେ ନରହତ୍ୟା ମକଦ୍ଦମା ଦାୟର କରାଯାଉ ଏବଂ ମୃତକ ଆଦିବାସୀ ଦିନେଶ ନାୟକଙ୍କ ପରିବାରକୁ ୧କୋଟି ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଶ୍ରୀ ପଣ୍ଡା ଦାବି କରିଛନ୍ତି ।
ଏହି ପ୍ରତିନିଧିମଣ୍ଡଳୀରେ କଟକ ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମୂରଲୀ ମନୋହର ଶର୍ମା ଓ ରାଧାକାନ୍ତ ମହାନ୍ତ, ରାଜ୍ୟ ନିର୍ବାଚନ ସେଲ୍ ସଂଯୋଜକ ଜୟନ୍ତ ଜେନା ପ୍ରମୁଖ ପୋଲିସ ମହାନିର୍ଦ୍ଦେଶକ (ମାନବ ଅଧିକାର ସୁରକ୍ଷା ସେଲ୍) ଲଳିତ ଦାସଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।