୨୦୧୩ ମସିହାରେ ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ରାହାଡମଲ ଭାର୍ଗବୀ ଉପରେ ବିଜୁ ସେତୁ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଯୋଜନାର ଲକ୍ଷ୍ୟ ଥିଲା ୫ଟି ପଞ୍ଚାୟତକୁ ସଂଯୋଗ ସୁଗମ ହେବ। କିନ୍ତୁ ତାହା ହେଲା ନାହିଁ। ଫଳରେ ଜୀବନକୁ ବାଜି ଲଗାଇ କାଠଧଡାରେ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ ଏବଂ ଲୋକେ। ସଦର ବ୍ଲକର ଶିରୁଳୀ ଠାରେ ରତ୍ନଚିରା ସେତୁ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ହେଲେ ୧୦ ବର୍ଷ ବିତିଗଲା ତିନୋଟି ପିଲାର ଉପରେ ଛାତପଡି ରହିଛି। ସେହିଭଳି କଣାସ ବ୍ଲକର କରମଳାଠାରେ ଲୁଣା ନଦୀ ଉପରେ ୨୦୧୮ ରୁ ଆରମ୍ଭ ହୋଇଥିବା ବିଜୁ ସେତୁ ୬ ବର୍ଷ ପରେ ବି ନିର୍ମାଣ ଶେଷ ହେବାର ନାଁ ଧରୁନି।
ସେପଟେ ନୟାଗଡ ରଣପୁରର ସୁନାଖଳା ଠାରୁ ରଣପୁରକୁ ସଂଯୋଗ କରୁଥିବା ମନ୍ଦାକିନୀ ସେତୁର 10ବର୍ଷ ତଳୁ ଶିଳାନ୍ୟାସ ହୋଇଥିଲେ ମଧ୍ୟ୍ୟ ଏପର୍ଯ୍ୟନ୍ତ ନିର୍ମାଣ ହୋଇପାରି ନାହଁ l ତୁରନ୍ତ ନୂତନ ବ୍ରିଜ ନିର୍ମାଣ କରା ନ ଗଲେ ଆଗାମୀ ଦିନରେ ଏକ ବଡ଼ଧରଣର ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି l କିନ୍ତୁ ସେପଟେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି ୨୦୧୧ ରୁ ୨୦୨୩ ମଧ୍ୟରେ ୧୩୯୧ ଗୋଟି ସେତୁ ସରିଛି। ୫୪୧ ସେତୁ ନିର୍ମାଣାଧୀନ ରହିଛି। ୭୦୪ଟି ସେତୁ ନିର୍ମାଣ ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ସେଥିମଧ୍ୟରୁ ପୁରୀ ଜିଲ୍ଲାରେ ୨୮ ଗୋଟି ସମ୍ପୁର୍ଣ୍ଣ ହୋଇଛି, ୨୪ ଗୋଟି କାର୍ଯ୍ୟ ଚାଲିଛି, ୧୪ ଗୋଟି ଆରମ୍ଭ ଅବସ୍ଥାରେ। ସେହିପରି ନୟାଗଡ଼ରେ ୩୭ ଗୋଟି ସମ୍ପୂର୍ଣ୍ଣ ହୋଇଛି ୮ଗୋଟି ଚାଲିଛି ୧୧ଟି ଆରମ୍ଭ ଅବସ୍ଥାରେ ରହିଛି।
ବିଧାନସଭା ତଥ୍ୟ ଓ ବାସ୍ତବ ଚିତ୍ର ପୁରା ଭିନ୍ନ। ନଦୀ ନାଳ ଉପରେ ସେତୁ ନିର୍ମାଣ କରି ଗାଁ ଗାଁ ଯୋଡ଼ିବାର ଲକ୍ଷ୍ୟ ହୋଇଛି ଭ୍ରଷ୍ଟ। ୨୩ ବର୍ଷର ସରକାରରେ ବି ନଦୀ ପାର ପାଇଁ କେଉଁଠି କାଠଧଡା ତ କେଉଁଠି ଭଙ୍ଗା ଦଦରା ପୋଲ ଭରଷା।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର