ଧାମରା, ଚାନ୍ଦବାଲି, ବାସୁଦେବପୁର, ତିହିଡ଼ି, ଧାମନଗର । ସବୁଠି ଦାବି ଦେଇଛି ଦାନା । ଏଠି ବି ଗଛ ଆଉ ବିଦ୍ୟୁତ ଖୁଣ୍ଟ ଭୂପତିତ । ସ୍ଥାନେ ସ୍ଥାନେ ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ ସରବହରାହ ବି ସମ୍ପୂର୍ଣ୍ଣ ରୂପେ ବାଧାପ୍ରାପ୍ତ ହୋଇଛି । ଧାମରା ବନ୍ଦର ପାଖରେ ଓଲଟି ପଡ଼ିଛି ଅନେକ ମାଛଧରା ଡଙ୍ଗା । ସମୁଦ୍ର ଜୁଆର ପ୍ରଭାବରେ ଅନେକ ଗାଁରେ ପାଣି ପଶିଛି । ପୂରା ଭଦ୍ରକ ଜିଲ୍ଲାରେ ବଡ଼ବଡ଼ ଗଛ ଉପୁଡ଼ି ଘର ଉପରେ ପଡ଼ି ଘର ନଷ୍ଟ କରିଥିବାର ବି ଦେଖିବାକୁ ମିଳିଛି । ଏନଡିଆରଏଫ, ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ରାସ୍ତା ଉପରୁ ଗଛ କାଟି ସଫା କରିବାରେ ଲାଗି ପଡ଼ିଛନ୍ତି । ଧାମରାରେ ଦୁଇ ପଶ୍ଚିମବଙ୍ଗ ଟ୍ରଲର ମଧ୍ୟ ବାତ୍ୟା ଯୋଗୁଁ ଫସିଥିଲେ ।
ଏପଟେ ବାଲେଶ୍ବର ଜିଲ୍ଲାର ଅନେକ ଇଲାକାରେ ବି ସମାନ ଅବସ୍ଥା । ବାହାନଗା, ସୋର ଓ ରେମୁଣା ବ୍ଲକର ଅନେକ ଗାଁରେ ଦାନା ଉତ୍ପାତ । ବଡ଼ବଡ଼ ଗଛ ଉପୁଡ଼ି ପଡ଼ିବା ସହ ଦାନାର ତାଣ୍ଡବ ଆଗରେ ମଥାନତ ହୋଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଗଛକାଟି ରାସ୍ତା ସଫା କରିବାରେ ଲାଗିଛି ପ୍ରଶାସନ । ରାସ୍ତା କ୍ଲିଅର କରାଯିବା ପରେ ଗାଁ ଭିତରେ ପଡ଼ିଥିବା ଗଛଗୁଡ଼ିକ କଟାଯିବ । ଗୋଟିଏ ଦୁଇ ସ୍ଥାନରେ କାନ୍ଥ ମଧ୍ୟ ପଡ଼ି ଲୋକେ ଆହତ ହୋଇଛନ୍ତି । ସବୁ ଭିତରେ ଦାନା ଉପରେ କିନ୍ତୁ ଜୋରରେ ପାହାର ପକାଇଛି ଦାନା । ଅନେକ ସ୍ଥାନରେ ସମ୍ପୂର୍ଣ୍ଣ ରୂପେ ଜଳମଗ୍ନ ଚାଷଜମି । ଧାରକରଜ କରି ଚାଷୀମାନେ ଏବର୍ଷ ଯେଉଁ ଭଲ ଅମଳ ପାଇଁ ଲକ୍ଷ୍ୟ ରଖିଥିଲେ, ତାକୁ ସ୍ବପ୍ନରେ ହିଁ ରଖିଦେଇଯାଇଛି ଅକ୍ଟୋବରର ଏ ବାତ୍ୟା । ତେଣୁ ଏବେ ଅଧିକାଂଶ ସ୍ଥାନର ଚାଷୀ ସରକାରଙ୍କ ହାତଟେକାକୁ ଅପେକ୍ଷା କରି ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲାର କେତେକ ଇଲାକାରେ ମଧ୍ୟ ଦାନାର ପ୍ରଭାବ ଅନୁଭୂତ ହୋଇଛି । ମୋଟାମୋଟି ଦେଖିବାକୁ ଗଲେ ବିଶେଷ ପ୍ରଭାବ ବିସ୍ତାର ନ କରି ପାରି ଦବିଯାଇଥିଲେ ବି କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାର ଅନେକ ଇଲାକାରେ ଦମ୍ ଦେଖାଇବାରେ ସମର୍ଥ ହୋଇଛି ଦାନା ।