ଅର୍ଚ୍ଚନା ଯେ, କୋଟିପତି ଏ କଥା କହାକୁ ଅଛପା ନାହିଁ। ପୂର୍ବରୁ ତାଙ୍କ ଘୋଡା ଚଢା ସଉକ ଉପରେ ବି ଗଣମାଧ୍ୟମ ଅନେକ ରୋଚକ ତଥ୍ୟ ଦେଇଥିଲା। ଆଉ ଏବେ ଗାଡି ଚଢାକୁ ନେଇ ସାମ୍ନାକୁ ଆସିଛି ନୂଆ କଥା। ନାଗ ଦମ୍ପତ୍ତି ଲ୍ୟାଣ୍ଡ ରୋଭରର ଭେଲାର୍ କାର୍ କିଣିବାକୁ ଯୋଜନା କରିଥିଲେ। ଏହାର ଦାମ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ୮୩ଲକ୍ଷ ଟଙ୍କାର ଏହି କାର କିଣିବାକୁ ବୁକିଂ କରାଯାଇଥିଲା ବୋଲି ଡ୍ରାଇଭରକୁ ଜେରା ବେଳେ ଜାଣିବାକୁ ପାଇଛି ଇଡି।
ବୁକିଂ ବାବଦକୁ ୩୫ ଲକ୍ଷ ୧୧ ହଜାର ଟଙ୍କା ପଇଠ ମଧ୍ୟ କରାଯାଇଥିଲା। ହେଲେ କୌଣସି କାରଣରୁ ପରେ ଏହି ବୁକିଂ କ୍ୟାନସଲ୍ ହୋଇଥିଲା। ପୁଲିସ ଏହି ଘଟଣାରେ ସମ୍ପୃକ୍ତ କାର ଶୋ’ ରୁମର ମାଲିକ ଗଙ୍ଗାଧର ସାମଲଙ୍କୁ ମଧ୍ୟ ଜେରା କରିଛି। ଗଙ୍ଗାଧର କହିଛନ୍ତି ସେ, ଏହି ଟଙ୍କା କେଉଁଠୁ ଆଣି ବୁକିଂ କରାଯାଇଥିଲା ସେ ଜାଣି ନାହାନ୍ତି। ତାଙ୍କ ସହ ହେଉଥିବା ସମସ୍ତ ବ୍ୟବସାୟିକ ଡିଲ୍ ବ୍ୟାଙ୍କ ଚେକ୍ ମାଧ୍ୟମରେ ହୋଇଛି। କୌଣସି ପ୍ରକାର ଅର୍ଥ ନେଣଦେଣ ହୋଇନି। ଯାହାକୁ ନେଇ ଇଡି ପୁଣି ଅଡୁଆରେ ପଡିଛି।
ପୂର୍ବରୁ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ଏକ ଏଣ୍ଡେଭର କାର ମଞ୍ଚେଶ୍ବର ଅଞ୍ଚଳରୁ ଠାବ କରିଥିଲା ଇଡି। ଯାହାର ଆଗ ଆଉ ପଛ ନମ୍ବର ପ୍ଲେଟ ନ ଥିଲା। କିନ୍ତୁ ଚେଚିସ ନଂ ଯାଞ୍ଚ କରିବା ପରେ ଏହା ଅର୍ଚ୍ଚନାଙ୍କର ବୋଲି ଖୁଲାସା ହୋଇଥିଲା। ଏବେ ତଦନ୍ତ ପ୍ରକ୍ରିୟାରେ ଆଉ କେତୋଟି ଦାମିକା ଗାଡି ପଦାକୁ ଆସୁଛି, ତାହା ଦେଖିବାକୁ ରହିଲା।