ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହୋଇ ମୁଁ ବେଶ୍ ଆନନ୍ଦିତ । ଭାରତର ଗଣତନ୍ତ୍ର ଦୁନିଆର ପ୍ରଭାବଶାଳୀ ଓ ପାରଦର୍ଶୀ ମଧ୍ୟ । ଲୋକତନ୍ତ୍ରରେ ପ୍ରତ୍ୟେକ ଭୋଟ୍ ଗୁରୁତ୍ୱପୂର୍ଣ୍ଣ । ପ୍ରଜାତନ୍ତ୍ରରେ ଭୋଟ୍ ଠାରୁ ପ୍ରଭାବଶାଳୀ ଆଉ କିଛି ନୁହେଁ । ସମ୍ବଲପୁର ଓ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ନିଜ ମତାଧିକାର ସାବ୍ୟସ୍ତ କରିବା ପାଇଁ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ସମସ୍ତେ ଭୋଟ୍ ଦେବା ସହ ଆମର ଗଣତନ୍ତ୍ରକୁ ଆହୁରି ସଶକ୍ତ କରନ୍ତୁ । ମହିଳା ଓ ଯୁବ ଭୋଟରଙ୍କୁ ଅଧିକ ସଂଖ୍ୟାରେ ଭୋଟ୍ ଦେବାକୁ ସେ ନିବେଦନ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଲୋକମାନେ ଆଜି ପରିବର୍ତ୍ତନ ମୁହାଁ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା ନିବେଦନ କରିଛନ୍ତି, ଓଡ଼ିଶାବାସୀ ତାଙ୍କ ଉପରେ ଆଶୀର୍ବାଦ କରିବେ । ଦେଶରେ ମୋଦୀଙ୍କ ନେତୃତ୍ୱରେ ତୃତୀୟ ଥର ବିଜେପିର ସରକାର ହେବ । ଓଡ଼ିଶାର ୨୧ଟି ଲୋକସଭାରୁ ୨୧ ଲୋକସଭା ବିଜେପି ଜିତିବ । ଓଡ଼ିଶାରେ ମଧ୍ୟ ବିଜେପି ବହୁମତ ହାସଲ ନୂଆ ସରକାର ଗଠନ କରିବ । ମୋଦୀ ସରକାରରେ ଗରିବ, ଯୁବକ, ମହିଳା, କୃଷକ, ବଞ୍ଚିତ ବର୍ଗର ଲୋକମାନଙ୍କ କଲ୍ୟାଣ ହେବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏହା ପୂର୍ବରୁ ଶ୍ରୀ ପ୍ରଧାନ ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ମନ୍ଦିରରେ ପ୍ରଥମେ ଦର୍ଶନ କରିଥିଲେ । ପରେ ସମ୍ବଲପୁର ସଂସଦୀୟ କ୍ଷେତ୍ରର ବିଭିନ୍ନ ନିର୍ବାଚନମଣ୍ଡଳୀରେ ବୁଥରୁ ବୁଥ ବୁଲି ଜନସାଧାରଣ ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିଥିଲେ । ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଗୁଡ଼ିକରେ ବିଜେପି ପ୍ରାର୍ଥୀ ବିଜୟୀ ହେବା ନେଇ ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।