ଭୁବନେଶ୍ୱର: କାମାକ୍ଷାନଗରର ବିଜେଡି ନେତା ତଥା ପଥର ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟାକାଣ୍ଡକୁ 2 ଦିନ ବିତିଲାଣି। ହେଲେ ଏଯାଏ ପୋଲିସ ହାତ ଖାଲି। ବୁଧବାର ବିଳମ୍ବିତ ରାତିରେ କାମାକ୍ଷାନଗର ଥାନା ଆଳତୁମା ଗାଁ ରେଲୱେ ଓଭର ବ୍ରିଜ ନିକଟରେ ନିରାକାରଙ୍କୁ ବିଭତ୍ସ ହତ୍ୟା କରାଯାଇଥିଲା। ନିରାକାରଙ୍କ ମୁଣ୍ଡ ଓ ଛାତିରେ ବାଜିଥିଲା ୩ ରାଉଣ୍ଡ ଗୁଳି। ଏଥିସହ ମାରଣାସ୍ତ୍ରରେ ବି କରାଯାଇଥିଲା ଆକ୍ରମଣ। ବହୁ ଚର୍ଚ୍ଚିତ ଦୀପକ ମାହୁନ୍ତ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଥିଲେ ନିରାକାର। କିଛି ଦିନ ତଳେ ଜେଲରୁ ସେ ଜାମିନରେ ଆସିଥଲେ। ଗତକାଲି ନିରାକାରଙ୍କ ସ୍ତ୍ରୀ କାମାକ୍ଷାନଗର ଥାନାରେ 6 ଜଣଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୁକ୍ତମାନେ ହେଉଛନ୍ତି ଦୀପକ ମାହୁନ୍ତଙ୍କ ପୁଅ ଦିବ୍ୟଦର୍ଶନ ମାହୁନ୍ତ, ଧରମ ପୁଅ ବିଶ୍ଵଜିତ ବେହେରା ଓରଫ ବିକି, ଓଡ଼ାପଡ଼ା ପତଳା ଗାଁର ଜୁଲୁ, ହିନ୍ଦୋଳ ବ୍ଲକ ପୂର୍ବତନ ବିଜେଡି ଚେୟାରମ୍ୟାନ୍ ପଣ୍ଡି, ଗେଙ୍ଗୁଟିଆ ଗାଁର ବୁଲୁ ଓ ରାଙ୍କିଆ ଗାଁର ଶ୍ରୀଧର ଲେଙ୍କା। ବର୍ତ୍ତମାନ ସୁଦ୍ଧା ଜଣେ ହେଲେ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇନି ପୋଲିସ। ଏଥିସହ ନିରାକାର ସାହୁ ସାଙ୍ଗରେ ନେଇଥିବା ୮ ଲକ୍ଷ ଟଙ୍କା ଏବଂ OD02BD0493 ନମ୍ବର ସୁଇଫ୍ଟ ଡିଜାୟାର କାର ଗଲା କୁଆଡେ ? କାହିଁକି ଘରୁ ୮ ଲକ୍ଷ ଟଙ୍କା ଧରି କାମାକ୍ଷାନଗର ଆସିଥିଲେ ନିରାକାର ତାର ? ଏହା ଏକ ସୁଚିନ୍ତିତ ହତ୍ୟା କି।
ନିରାକାରଙ୍କୁ ମିଶାଇ କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ଗତ 5 ବର୍ଷ ମଧ୍ୟରେ ଏହା ଚତୁର୍ଥ ରାଜନୈତିକ ହତ୍ୟା। ଆଉ ସମସ୍ତେ ଶାସକ ଦଳର ନେତା। ହତ୍ୟାର ଶିକାର ନିରାକାରଙ୍କ ବ୍ୟାଗଗ୍ରାଉଣ୍ଡ କହୁଛି ଅନେକ କଥା। ପୂର୍ବତନ ସମିତ ସଭ୍ୟ ଦୀପକ ମାହୁନ୍ତ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଥିଲେ ନିରାକାର। ଉଭୟ ଦୀପକ ମାହୁନ୍ତ ଓ ନିରାକାର ପଥର ଖଣି କାରବାରରେ ସଂପୃକ୍ତ ଥିଲେ। ତେଣୁ ଲଘୁ ଖଣିଜ କାରବାରକୁ ନେଇ ଶାସକ ଦଳ ଭିତରେ ଗ୍ୟାଙ୍ଗୱାରର ପରିଣାମ ଏହି ଦୁଇ ହତ୍ୟା ବୋଲି ଅଭିଯୋଗ ହୋଇଛି। ଏହାଛଡ଼ା ଦୀପକଙ୍କର କାମାକ୍ଷାନଗର ବିଜେଡିରେ ପତିଆରା ଲାଗତାର ବୃଦ୍ଧି ପାଉଥିଲା। ଏପରିକି ସେ ବିଧାୟକ ପ୍ରାର୍ଥୀ ପାଇଁ ଦାବେଦାର ବୋଲି ଚର୍ଚ୍ଚା ହେଉଥିଲା। ଏତିକିବେଳେ ଦୀପକଙ୍କୁ ହତ୍ୟା କରାଯାଇଥିଲା। ଉଭୟ ଦୀପକ ଓ ନିରାକାର ଥିଲେ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କ ଖାସ ଲୋକ। ତେବେ ବ୍ୟକ୍ତିଗତ ନିହିତ ସ୍ବାର୍ଥ ପାଇଁ ଏସବୁ ହତ୍ୟା ଓ ହତ୍ୟାର ବଦଲା ହତ୍ୟା ବୋଲି ଅଭିଯୋଗ ହେଉଛି।
2018- ପୂର୍ବତନ ନଗରପାଳ ଯଶୋବନ୍ତ ପରିଡା ଆତତାୟୀଙ୍କ ଗୁଳିରେ ଟଳିପଡ଼ିଲେ। 2021 - ବାରୁଆଁ ସମିତି ସଭ୍ୟ ଦୀପକ କୁମାର ମହନ୍ତଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। 2023 - ଜିରାଳ ଦୀଘି ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ସର୍ବେଶ୍ବର ରାଉତଙ୍କୁ ଠେଙ୍ଗାରେ ହୋଇଥିଲା ଆକ୍ରମଣ। ଆଉ ଟଳିପଡ଼ିଥିଲେ ସର୍ବେଶ୍ବର। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏମାନେ ସମସ୍ତେ ଶାସକ ବିଜୁ ଜନତା ଦଳର ନେତା। ଆଉ ତାଠୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏମାନେ ସମସ୍ତେ ବି ମନ୍ତ୍ରୀ ପ୍ରଫୁଲ୍ଲ୍ ମଲ୍ଲିକଙ୍କର ଘନିଷ୍ଠ ଥିଲେ। ଜଣକ ପରେ ଜଣେ ଶାସକ ଦଳ ନେତାଙ୍କ ମୁଣ୍ଡ ଗଡ଼ିବା ପଛରେ ରହିଛି ରାଜନୈକିତ କାରଣ ନା ଆଉ କିଛି। ଏମାନେ କାହାର ରାଜନୈତିକ ରାସ୍ତାରେ କଣ୍ଟା ଥିଲେ କି ? ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କର ଏ ସମସ୍ତ ମୃତ ନେତାଙ୍କ ସହ ଘନିଷ୍ଠତା କେବଳ ଏକ ସଂଯୋଗ ନା ଏହା ପଛରେ ରହିଛି ଆଉ କିଛି ରହସ୍ୟ। ପୋଲିସର ତଦନ୍ତ କଣ ସତକୁ ଉନ୍ମୋଚନ କରିପାରିବ ? ନା ଆଗକୁ ଆଉ କାହାର ପାଳି ପଡ଼ିବ ?