ଦୁର୍ଗାପୂଜା ପାଇଁ ଟୁଇନ ସିଟିରେ ରହିବ ସ୍ଵତନ୍ତ୍ର ଟ୍ରାଫିକ କଟକଣା । ଆସନ୍ତା ୯ ତାରିଖରୁ ୧୩ ତାରିଖ ଯାଏଁ କଟକ ଏବଂ ଭୁବନେଶ୍ଵରରେ ଟ୍ରାଫିକ କଟକଣା ଜାରି ରହିବ । ଏନେଇ ବିଜ୍ଞପ୍ତି ଜାରି କରିଛି କମିଶନରେଟ୍ ପୋଲିସ । ସିଲିଭର ସିଟି କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ । ସେହିପରି ଭୁବନେଶ୍ଵରରେ ଅପରାହ୍ନ ୪ରୁ ରାତି ୨ଟା ପର୍ଯ୍ୟନ୍ତ କଟକଣା ରହିବ । ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭୁବନେଶ୍ଵରରେ ବାଣୀବିହାରରୁ ଶିଶୁଭବନ ଛକ, ରସୁଲଗଡରୁ ଲିଙ୍ଗିପୁର ଛକ, ବରମୁଣ୍ଡରୁ ପଳାଶୁଣୀ ଯାଏ ଉଭୟ ପାର୍ଶ୍ଵର ସର୍ଭିସ ରୋଡ୍, ଆଚାର୍ଯ୍ୟ ବିହାରୁ -ଏୟାରପୋର୍ଟ ଛକ, ଆଚାର୍ଯ୍ୟ ବିହାରରୁ କଳିଙ୍ଗ ହସ୍ପିଟାଲ ଛକ, ଜୟଦେବ ବିହାରର ରାଜଭବନ ଏବଂ ନନ୍ଦନକାନ ଛକ ଭଳି ପ୍ରମୁଖ ରାସ୍ତାରେ ଭାରିଯାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିବ । ସେହପରି କଟକରେ ମଙ୍ଗଳାବାଗ ଛକ, ଦୋଳମୁଣ୍ଡାଇ, ମାଲଗୋଦାମ ଫାଣ୍ଡି, ଛତ୍ରବଜାର ଅଞ୍ଚଳର ରାସ୍ତାରେ କଟକଣା ଜାରି ହୋଇଛି । ଭସାଣି ପାଇଁ ୧୪ ତାରିଖ ସକାଳ ୭ରୁ ୧୫ ତାରିଖ ଭସାଣି ଶେଷ ଯାଏଁ ଲାଗୁ ହେବ ଟ୍ରାଫିକ କଟକଣା ।
ମୋଟ୍ ଉପରେ, ପାର୍ବଣ ପାଇଁ ଟ୍ଵିନସିଟିରେ ପ୍ରବଳ ଭିଡ଼ ଜମେ । ସଂଧ୍ୟା ନଇଁଲେ ତ ଘରୁ ବାହାରିବା ମୁସ୍କିଲ ହୋଇଯାଏ । ହେଲେ ଏଥର କେମିତି ସହଜରେ ପୂଜାର ମଜା ଉଠାଇପାରିବେ ଭକ୍ତ ସେନେଇ ଟ୍ରାଫିକ ଉପରେ ବିଶେଷ ଗୁରୁତ୍ଵ ଦେଇଛି କମିଶନରେଟ୍ ପୋଲିସ ।