ରାଜ୍ୟରେ ୨୪ ବର୍ଷ ପରେ ସରକାର ବଦଳିବା ପରେ ଗୋଟିଏ ପ୍ରସଙ୍ଗରେ ବିଧାନସଭାରେ ତୁମ୍ବିତୋଫାନ କରୁଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ସେଇଥି ଲାଗି ତ ଅଶ୍ଵିନୀ କହିଛନ୍ତି, ରାତିରେ ଉଭୟ ଦଳର ନେତା କଥା ହୁଅନ୍ତି । ସକାଳୁ ବିଧାନସଭାରେ ଆଲୋଚନା କରନ୍ତି । ଇଣ୍ଡି ମେଣ୍ଟ ଆଡକୁ ବିଜେଡି ଢଳୁଥିବା ପ୍ରସଙ୍ଗରେ କହିଛନ୍ତି, ନିଜ ସ୍ୱାର୍ଥ ହାସଲ ପାଇଁ ବିଜେଡି କିଛି ବି କରିପାରେ । ଯଦି ନବୀନ ଇଣ୍ଡି ମେଣ୍ଟକୁ ସମର୍ଥନ କରନ୍ତି ତାର କୌଣସି ପ୍ରଭାବ ପଡିବନି । ଜବାବରେ ବିଜେଡି କହିଛି, ଦଳ ଏକଲା ଚଲୋ ନୀତିରେ ଚାଲିଛି । ବିଜେପି ଓ କଂଗ୍ରେସଠାରୁ ସମଦୂରତା ଅବଲମ୍ବନ କରୁଛି । ଆମର ଦିଲ୍ଲୀରେ କେହି ମାଷ୍ଟର ନାହାନ୍ତି, ଓଡ଼ିଶାବାସୀ ଆମ ମାଲିକ । ସେହିପରି କଂଗ୍ରେସର ଉତ୍ତର ହେଲା, ଆମେ ଜାତୀୟ ଦଳ, ଆମ ଆଦର୍ଶ ଭିନ୍ନ । ରାଜ୍ୟ କଂଗ୍ରେସକୁ ବିଜେଡି କାହିଁକ ଚଳାଇବ ?
ରାଜ୍ୟରେ ଏବେ ନୂଆ ସରକାର । ଅନେକ ବିକାଶ କାମ କରୁଛି ବିଜେପି । ହେଲେ ଏହାକୁ ଦେଖି ପାରୁନି ବିଜେଡି । ନିଜେ ୨୪ ବର୍ଷ ସରକାରରେ ଥିବା ପରେ ବି ସେମିତି କିଛି ଆଖିଦୃଶିଆ କାମ କଲାନାହିଁ । ଦୁର୍ନୀତି ଏତେ ମାତ୍ରାରେ ବଢିଲା ଯେ ଲୋକେ ପ୍ରତ୍ୟାଖ୍ୟାନ କଲେ । ହେଲେ ଏବେ ପୁଣି କେମିତି କ୍ଷମତା ଅକ୍ତିଆର କରିବ ସେନେଇ ଗଳାବାଟ ଖୋଜୁଥିବା ଚର୍ଚ୍ଚା ଜୋର । ଏହାରି ଭିତରେ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଇଣ୍ଡି ମେଣ୍ଟ ମଜଭୁତ ହେଉଥିବା ଓ ରାହୁଲ ଗାନ୍ଧିଙ୍କ ଲୋକପ୍ରିୟତା ବଢୁଥିବା କଥା କହିଥିଲେ । ତେବେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ବିଜେଡି କ୍ଷମତାକୁ ଫେରିବା ପାଇଁ ଇଣ୍ଡି ମେଣ୍ଟ ଆଡକୁ ଢଳିବାରେ ଅସ୍ୱାଭିବକତା ଆଦୌ ନାହିଁ ।
ଗୋଟିଏ ପଟେ ହରିୟାଣା ଓ ଜମ୍ମୁ-କାଶ୍ମୀର ଏକଜିଟ୍ ପୋଲ୍ ଆକଳନ। ଅନ୍ୟପଟେ ଏହାକୁ ଆଧାର କରି ଓଡ଼ିଶା ରାଜନୀତିରେ ନୂଆ ସମୀକରଣର ଅଭ୍ୟୁଦୟ। ଏସବୁ ଭିତରେ ରାଜ୍ୟ ରାଜନୀତି ଆଗକୁ କି ରୋଚକ ମୋଡ଼ ନେଉଛି ତାଉପରେ ନଜର ।