ଏବେ ସ୍ପଷ୍ଟ ଦିବାଲୋକରେ ଦେଖନ୍ତୁ ସେହି ଜବରଦସ୍ତ ପଡ଼ାର ଦୃଶ୍ୟ ଯେଉଁଠାକୁ ଯାଇଥିଲେ ରାଜ୍ୟପାଳ । ଗାଁରେ ରହନ୍ତି 50ରୁ ଅଧିକ ପରିବାର । ସୁନ୍ଦରଗଡ ସଦର ମହକୁମାଠାରୁ ମାତ୍ର 7 କିଲୋମିଟର ଦୁରରେ ଥିବା ଏହି ଗାଁର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ। ଗାଁରେ ଥିବା ନଳକୂପ ଓ ସୋଲାର ପମ୍ପ ଅଚଳ। ଏଇ ଗୋଟିଏ ପୋଖରୀ ହିଁ ଲୋକଙ୍କ ଭରସା। ଦେଖନ୍ତୁ ଇଏ ଏକବିଂଶ ଶତାବ୍ଦୀର ଓଡ଼ିଶା। ଯେଉଁଠି ଗାଧୋଇବା, ଶୌଚ ହେଉଥିବା ଏ ପୋଖରୀର ଦୂଷିତ ପାଣି ଛାଣି ପିଇବାକୁ ବାଧ୍ୟ ଗାଁ ଲୋକେ । ବସୁଧା, ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଯୋଜନା ନାଁରେ ପାନୀୟ ଜଳ ଯୋଗାଣର ମିଛ ପ୍ରଚାର କରୁଥିବା ରାଜ୍ୟ ସରକାରଙ୍କ ମୁଖା ଖୋଲିଦେଉଛି ଏହି ଗାଁର ଚିତ୍ର।
ଏବେ ଫେବ୍ରୁଆରୀ ମାସରେ ପାଣି ପାଇଁ ଡହଳ ବିକଳ ହେଉଥିବା ଲୋକେ ଖରାଦିନେ ଦୟନୀୟ ଅବସ୍ଥା ଭୋଗନ୍ତି। ପୋଖରୀରୁ ଲୋକେ ଦୂଷିତ ପାଣି ପିଉଥିବା ଦେଖି ଉଦବେଗ ପ୍ରକାଶ କଲେ ରାଜ୍ୟପାଳ। ଜିଲ୍ଲାପ୍ରଶାସନକୁ ଏ ନେଇ ଏକ ରିପୋର୍ଟ ମାଗିଲେ। ରାଜ୍ୟପାଳଙ୍କ ସହ ସଦର ବିଧାୟିକା କୁଶୁମ ଟେଟେ ମଧ୍ୟ ସମସ୍ୟା ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଟ୍ବିଟ୍ କରି ରାଜ୍ୟପାଳ କହିଛନ୍ତି, କେନ୍ଦ୍ର ସରକାରଙ୍କ ଜଳ ଜୀବନ ମିଶନ ଯୋଜନା ଆମ ମା ଓ ଭଉଣୀଙ୍କ ଜୀବନକୁ ସହଜ କରିଛି। ସେମାନେ ସହଜରେ ନିଜ ଘରେ ପାଣି ପାଉଛନ୍ତି । କିନ୍ତୁ ଜବରଦସ୍ତପଡାର ଲୋକଙ୍କ ସମସ୍ୟାକୁ ଦେଖି ଦୁଃଖ ଲାଗିଲା । ଗତ ଡିସେମ୍ବର ମାସରେ ସୁନ୍ଦରଗଡ଼ ଓ ରାଉରକେଲାରେ ଦୂଷିତ ପାଣି ଯୋଗୁଁ ହଇଜାରେ ଯାଇଥିଲା ବହୁ ଲୋକଙ୍କ ଜୀବନ। ତଥାପି ଚେତିଲେନି ରାଜ୍ୟ ସରକାର।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର