୪୦ ବର୍ଷରୁ ଊର୍ଦ୍ଧ୍ବ ରାଜନୈତିକ ଜୀବନ ମଧ୍ୟରେ ଭଦ୍ରକ ସଦର ନିର୍ବାଚନମଣ୍ଡଳୀରୁ ୨ଥର ଓ ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀରୁ ୩ଥର ବିଧାୟକ ହୋଇସାରିଛନ୍ତି ବିଜେଡିର ଏହି ଭେଟେରାନ ନେତା। ତେବେ ବୟସାଧିକ କାରଣରୁ ଆଗାମୀ ନିର୍ବାଚନ ନ ଲଢ଼ିବାକୁ ସେ ଏକପ୍ରକାର ମନସ୍ଥ କରିସାରିଥିବାବେଳେ ତାଙ୍କ ସ୍ଥାନରେ ବଡ଼ପୁଅ ପ୍ରୟାସକାନ୍ତିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲେ। ଏନେଇ ସେ ପୂର୍ବରୁ ଘୋଷଣା କରିସାରିଥିଲେ ଏବଂ ଦଳର ଶୀର୍ଷ ନେତୃତ୍ବଙ୍କ ପାଖରେ ନିଜ ମନକଥା ମଧ୍ୟ ଜଣାଇଥିଲେ। ତେବେ ଇଡି ମାମଲାରେ ଛନ୍ଦି ହୋଇଯିବାପରେ ଉଭୟଙ୍କର ରାଜନୈତିକ ଭାଗ୍ୟ ଏବେ ସୂତା ଖିଅରେ ଝୁଲୁଥିବା କୁହାଯାଉଛି। ଯୁବନେତା ପାର୍ଥସାରଥୀ ମୁଦୁଲିଙ୍କ ନାଁ ଏହି ଦୌଡ଼ରେ ଆଗରେ ରହିଛି। କିନ୍ତୁ ଏଯାଏ ବିଜେଡିର ଅଙ୍କକଷା ଛିଡ଼ୁନି।
ସେପଟେ ବିରୋଧୀ କଂଗ୍ରେସ, ବିଜେପି ଏହାକୁ ପ୍ରସଙ୍ଗ କରିଥିବାବେଳେ ନିଜ ଇଞ୍ଜିନିୟରିଂ କଲେଜର କର୍ମଚାରୀ ମଧ୍ୟ ବାପପୁଅଙ୍କ ବିରୋଧରେ ପ୍ରତିବାଦ ଆନ୍ଦୋଳନ ଜାରି ରଖିଛନ୍ତି। ତେଣୁ ବିଜେଡି ଏହି ପ୍ରସଙ୍ଗକୁ କିଭଳି ନେଉଛି ତାହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି। ଏଭଳି ପରିସ୍ଥିତିରେ ପ୍ରଫୁଲ୍ଲ କିମ୍ବା ତାଙ୍କ ପୁଅକୁ ଦଳ ଯଦି ଟିକେଟ ନ ଦିଏ ତେବେ ପରିବାରକୁ କାହାକୁ ଥଇଥାନ କରାଯିବ। ନା ନବାଗତ ଆଶାୟୀ ପ୍ରାର୍ଥୀଙ୍କ ମୁଣ୍ଡରେ ଶିରୋପା ଭିଡ଼ା ହେବ। ତାକୁ ନେଇ ଭଣ୍ଡାରିପୋଖରୀଠାରୁ ଭୁବନେଶ୍ବର ଯାଏ ସବୁଠି ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ସେମାନଙ୍କ ମଧ୍ୟରେ ବାପା ଏବଂ ପୁଅଙ୍କ ମଧ୍ୟରେ କାହାକୁ ବିଜେଡି ଟିକେଟ ଦେବ ଚର୍ଚ୍ଚା ଚାଲିଥିବାବେଳେ ଧାମନଗର ବ୍ଲକ ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ଯୁବନେତା ପାର୍ଥସାରଥୀ ମୁଦୁଲି, ଅବସରପ୍ରାପ୍ତ ଆଇଏଏସ ତଥା ବାଲେଶ୍ବରର ପୂର୍ବତନ ଜିଲ୍ଲାପାଳ ରମେଶ ରାଉତ, ବିଜେଡି ଆଶାୟୀ ପ୍ରାର୍ଥୀ ପ୍ରଣୀତକାନ୍ତ ସାମଲ, ନାରୀନେତ୍ରୀ ସୁଜାତା ଜେନା ଏହି ରେସରେ ଆଗରେ ଅଛନ୍ତି। ତେବେ କାହାକୁ ମିଳିବି ଭଣ୍ଡାରିପୋଖରୀ ଟିକେଟ ଦେଖିବାକୁ ବାକି ରହିଲା।
ଅଧିକ ପଢ଼ନ୍ତୁ ରାଜନୀତି ଖବର