ଅର୍ଗସ ବ୍ୟୁରୋ: ଚାଲିଛି ମା' ତାରାଦେବୀଙ୍କ 108 ଦିବ୍ୟ ଆଳତି। ଯେଉଁ ଆଳତି ଟିକକ ଦର୍ଶନ କରିବାକୁ ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼। ଐତିହ୍ୟ ବିଶ୍ୱାସ,ପରମ୍ପରାକୁ ନେଇ ବ୍ରହ୍ମପୁର ଲାଞ୍ଜିପଲ୍ଲୀର ମା' ତାରାଦେବୀଙ୍କ ଯାତ୍ରା। ବ୍ରହ୍ମପୁର ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପରେ ବ୍ରହ୍ମପୁର ଲାଞ୍ଜିପଲ୍ଲୀରେ ଆରମ୍ଭ ହୁଏ ମା' ତାରାଦେବୀଙ୍କ ଯାତ୍ରା। ଶାଶୁ ଘରୁ ବାପ ଘରକୁ ଆସି ଲୀଳାଖେଳା କରୁଛନ୍ତି ମା' ତାରାଦେବୀ। ଯାହାକୁ ନେଇ ଚଳଚଞ୍ଚଳ ହୋଇପଡିଛି ବ୍ରହ୍ମପୁରର ଲାଞ୍ଜିପଲ୍ଲୀ। ମା'ଙ୍କ ଦ୍ବିବାର୍ଷିକ ଯାତ୍ରାକୁ ଅପେକ୍ଷା କରିଥିବା ଭକ୍ତ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ବିଶେଷକରି ମା'ତାରାଦେବୀଙ୍କ ଯାତ୍ରାରେ ମୁଖ୍ୟ ଆକର୍ଷଣ ହୋଇଥାଏ ମା'ଙ୍କ 108 ଆଳତି। ପ୍ରତ୍ୟେକ ଦିନର 108 ଆଳତି ଦେଖିବାକୁ ଏବଂ ଆଶୀର୍ବାଦ ନେବାକୁ ହଜାର ହଜାର ଭକ୍ତ,ଶ୍ରଦ୍ଧାଳୁ ଭିଡ଼ ଲଗାଇଛନ୍ତି।ଯେହେତୁ ଯାତ୍ରା ସରିବାକୁ ମାତ୍ର ଆଉ ଅଳ୍ପଦିନ ବାକିଅଛି ତେଣୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜୋରସୋରରେ ଲାଗିଛି।
ଅନ୍ୟପଟେ ମା'ଙ୍କ ଯାତ୍ରାରେ ବେଶଧାରୀଙ୍କ ଭିଡ଼ ମଧ୍ୟ ଜମୁଛି। କୁହାଯାଏ ମା' ଙ୍କ ନିକଟରେ ଯିଏ ଯାହା ମନାସି ଥାଏ ମନସ୍କାମନା ପୂର୍ଣ୍ଣ ହେଲେ ବେଶପଡି ଆସିଥାନ୍ତି। ତେଣୁ ଏଠାରେ ମଧ୍ୟ ବେଶଧାରୀଙ୍କ ଭିଡ଼ ଦେଖିବାକୁ ମିଳୁଛି। ବାଘନାଚ ସାଙ୍ଗକୁ କୃଷ୍ଣ, ରାଧା ଏମିତି ଅନେକ ବେଶ ଦେଖିବାକୁ ମିଳୁଛି। ଯେଉଁମାନଙ୍କ ପରିବାରର ବରିଷ୍ଠ ଲୋକମାନେ ମା'ଙ୍କ ନିକଟରେ ମାନସିକ କରିଥାନ୍ତି। ସେମାନଙ୍କ ପୁଅ, ଝିଅ ମାନେ ମା'ଙ୍କ ନିକଟକୁ ଆସି ବେଶ ପଡି ମନସ୍କାମନାକୁ ପୂର୍ଣ୍ଣ କରନ୍ତି।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର