ମହାପ୍ରଭୁଙ୍କୁ ଲାଗି ହୋଇଛି ସ୍ବତନ୍ତ୍ର ଚାଚେରୀ ଭୋଗ । ଦୋଳବେଦୀ ଉପରେ 7 ଘେରା ଓ ତଳେ 7ଘେରା ପ୍ରଦକ୍ଷିଣ କରିଥିଲେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ଶ୍ରୀଜିଉ । ବେଦ ମନ୍ତ୍ର ଓ ନାମ ସଂକୀର୍ତ୍ତନର ପବିତ୍ର ଧ୍ବନିରେ ମୁଖରିତ ହେଉଛି ସିଂହଦ୍ଵାର । ଋତୁରାଜ ବସନ୍ତର ଆଗମନରେ ଗାଁରୁ ସହର ସବୁଠି ଦେଖିବାକୁ ମିଳିଛି ଦୋଳ ଉତ୍ସବର ପଟୁଆର । ପଳାସ ଫୁଲର ଲାଲିମାରେ ସଜେଇ ହୋଇଛି ଆକାଶ । ଶ୍ରୀକ୍ଷେତ୍ର ପରି ଅନ୍ୟ ତିନି ଧାମରେ ମଧ୍ୟ ଉତ୍ସାହର ସହ ଫଗୁ ଖେଳରେ ତଲ୍ଲୀନ ହୋଇଛନ୍ତି ଭକ୍ତ । ଅଯୋଧ୍ୟା, କାଶୀ, ବୃନ୍ଦାବନ ସମେତ ଦେଶର ସମସ୍ତ ସହରରେ ରଙ୍ଗ ଖେଳରେ ବିଭୋର ହୋଇଛନ୍ତି ଲୋକ । ଫାଲଗୁନ ପୂର୍ଣ୍ଣିମାରେ ଅଯୋଧ୍ୟା, ବୃନ୍ଦାବନ, ବାରାଣସୀ, ମଥୁରା ସମେତ ଦେଶର ତୀର୍ଥକ୍ଷେତ୍ରରେ ପାଳିତ ହୋଇଛି ହୋଲିକା ଦହନ । ଭକ୍ତ ପ୍ରହ୍ଲାଦଙ୍କୁ ସ୍ମରଣ ସହ ହୋଲିକା ଅଗ୍ନିରେ ନକରାତ୍ମକ ଶକ୍ତିର ଦହନ କରିବା ପରେ ରଙ୍ଗ ଖେଳି ବସୁଧୈବ କୁଟୁମ୍ବକମର ବାର୍ତ୍ତା ଦେଇଛନ୍ତି ଭାରତବାସୀ ।
ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଦେଶ,ବିଦେଶରେ ରହୁଥିବା ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଥିବାବେଳେ ହୋଲି ଉତ୍ସବ ଦେଶବାସୀଙ୍କ ମନରେ ନୂଆ ରଙ୍ଗ ଭରି ଦେବାକୁ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଅଧିକ ପଢନ୍ତୁ ଓଡ଼ିଶା ଖବର