ବିଜୁଳି ଉତ୍ପାଦନରେ ନିଅଣ୍ଟିଆ ସ୍ଥିତି ଓ ପରିଚାଳନାରେ ତ୍ରୁଟିକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ । ପ୍ରଶ୍ନ କରିଥିଲେ ବିଦ୍ୟୁତ ସଂସ୍କାର ପାଇଁ ଦିଆଯାଇଥିବା 20 ହଜାର କୋଟି କୁଆଡେ ଗଲା । ୨୦୦୦ରୁ ୨୦୨୧ ଭିତରେ ୧୩୭ପ୍ରତିଶତ ବିଜୁଳି ଦର ବୃଦ୍ଧି ପାଇଛି । ପଡୋଶୀ ରାଜ୍ୟରେ ବିଜୁଳି ଶସ୍ତାରେ ମିଳୁଥିବା ବେଳେ ଓଡିଶାରେ ମହାଙ୍ଗା କାହିଁକି । ତେଲେଙ୍ଗାନା, ଝାଡ଼ଖଣ୍ଡ, ଦିଲ୍ଲୀ ଓ ପଞ୍ଜାବ ଉଦହାରଣ ଦେବା ସହ ବିରୋଧୀ ବିଧାୟକ ପ୍ରଶ୍ନ କରିଥିଲେ ଜାତୀୟ ହାର ୟୁନିଟ ପିଛା 5 ଟଙ୍କା 11 ଥିବା ବେଳେ ଓଡିଶାରେ ଏହା 5 ଟଙ୍କା 22 କାହିଁକି । ଫାଇନାନ୍ସ କର୍ପୋରେସନ ର ରିପୋର୍ଟକୁ ଆଧାର କରି ମହାଙ୍ଗା ବିଜୁଳି ପାଇଁ ସରକାରଙ୍କୁ ଦାୟୀ କରିଥିଲେ ବିରୋଧୀ । ବିଜୁଳି ସଂସ୍କାର ପରେ ବି କାହିଁକି ଅଘୋଷିତ ବିଜୁଳି କାଟ ହେଉଛି ଓ ଉପଭୋକ୍ତା ଲୋ ଭୋଲଟେଜ ସମସ୍ୟା ସହ ଜୁଝୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ।
ଗୋଟିଏ ପଟେ ବଜୁଳି ବିତରକ କମ୍ପାନୀଙ୍କ ପାଖରୁ ଟଙ୍କା ଆଦାୟ କରି ନ ପାରି ଏହାର ବୋଝ ଗ୍ରାହକଙ୍କ ଉପରେ ଲଦି ଦେଇଛନ୍ତି ସରକାର । 2009 ରେ ଶକ୍ତି କ୍ଷେତ୍ରରେ ଥିବା ଦୋଷ ଦୁର୍ବଳତାକୁ ନ ସଜାଡିଲେ ଏହା ଭୁଷୁଡି ପଡିବ ବୋଲି ମୁଖ୍ୟଶାସନ ସଚିବଙ୍କୁ ଚେତାଇ ଦେଇଥିଲେ ସେତେବେଳେର ଓଇଆରସି ଅଧ୍ୟକ୍ଷ ବି. କେ ଦାସ । ହେଲେ ଏ ଦିଗରେ ସରକାର ଚୁପ ରହିବା କାରଣରୁ ଏବେ ସ୍ଥିତି ସଂଙ୍ଗୀନ ହୋଇଛି ବୋଲି ଅଭିଯୋଗ ଆଣିଛନ୍ତି ବିଶେଷଜ୍ଞ ।ରାଜ୍ୟରେ ଗ୍ରାହକଙ୍କ ସଂଖ୍ୟା 16 ପ୍ରତିଶତ ବୃଦ୍ଧି ପାଇ 96 ଲକ୍ଷ ହୋଇଛି । ଗତ ଏପ୍ରିଲ ରୁ ଜୁନ ଭିତରେ ବିଜୁଳି ଚାହିଦା 23 ପ୍ରତିଶତ ବଢିଛି । ହେଲେ ଚର୍ଚ୍ଚା ହେଉଛି ବିଜୁଳି ପରିଚାଳନାରେ ବିଭ୍ରାଟ ସହ କ୍ଷମତା ଅନୁସାରେ ବିଜୁଳି ଉତ୍ପାଦନ ନ କରି ଚଢା ଦାମରେ ଘରୋଇ କମ୍ପାନୀ ଠାରୁ ବିଜୁଳି କିଣିବା ଯୋଗୁ ଶକ୍ତି ହୀନ ହେଉଛି ରାଜ୍ୟର ଶକ୍ତି ବିଭାଗ ।
ଓଡିଶା ଖବର ଆହୁରି ପଢ଼ନ୍ତୁ ।