ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଲଗାତାର ଷଷ୍ଠଥର ନିର୍ବାଚନ ଲଢିବାକୁ ଯାଉଛନ୍ତି । ପୂର୍ବଥର ମଧ୍ୟ ସମାନ ଢଙ୍ଗରେ ହିଞ୍ଜିଳିକାଟୁ ସହ ବିଜେପୁର ଆସନରେ ନିର୍ବାଚନ ଲଢିଥିଲେ ନବୀନ । ଉଭୟ ଆସନରୁ ବି ବିଜୟ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପୁର ଛାଡିଥିଲେ ନବୀନ, ଉପ-ନିର୍ବାଚନରେ ଜିତିଥିଲେ ରୀତା ସାହୁ । ଏଥର ବି ସମାନ ଢଙ୍ଗରେ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ନବୀନ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।
ନବୀନ ପୁଣି ଖେଳିଛନ୍ତି ପଶ୍ଚିମ ଓଡ଼ିଶା କାର୍ଡ । ବିଜେପୁର ସହ କଣ୍ଟାବାଞ୍ଜି ବିଧାନସଭା ଆସନରୁ ବି ଲଢ଼ିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ୍ ନବୀନ ଏଥର ହିଞ୍ଜିଳି ସହ କଣ୍ଟାବାଞ୍ଜି, ଦୁଇଟି ଆସନରୁ ଲଢ଼ିବାକୁ ସ୍ଥିର କରିଛନ୍ତି । ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାର କୌଣସି ଏକ ସ୍ଥାନରୁ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ଆଲୋଚନା ହେଉଥିଲା, ସେଥିରେ ପୂର୍ଣ୍ଣଛେଦ ପଡ଼ିଛି । କଣ୍ଟାବାଞ୍ଜିରୁ ନବୀନଙ୍କ ବିପକ୍ଷରେ ରହିବେ କଂଗ୍ରେସ ହେଭିୱେଟ୍ ସନ୍ତୋଷ ସିଂ ସାଲୁଜା ଓ ବିଜେପିରୁ ଲକ୍ଷ୍ମଣ ବାଗ ।
ସନ୍ତୋଷ ସିଂ ସାଲୁଜା ଏବେକାର ବିଧାୟକ ବି ଅଛନ୍ତି । କଣ୍ଟାବାଞ୍ଜି ପଶ୍ଚିମ ଓଡ଼ିଶାର ୪ ଜିଲ୍ଲା ଯଥାକ୍ରମେ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗିର ଓ ବରଗଡ଼କୁ ଛୁଇଁଛି । ଅର୍ଥାତ୍ ଅନ୍ୟ ଅର୍ଥରେ କହିବାକୁ ଗଲେ କଣ୍ଟାବାଞ୍ଜି ଏକ ଷ୍ଟ୍ରାଟେଜିକ୍ ଲୋକେସନ ଭାବେ ଜଣାଶୁଣା । ତେଣୁ ନବୀନ ସେହି ଆସନକୁ ବାଛିଥିବା ଚର୍ଚ୍ଚା ଜୋର । ସମୟ କହିବ କଣ୍ଟାବାଞ୍ଜିର ଭୋଟର କେତେ ସମର୍ଥନ ଦେଉଛନ୍ତି ନବୀନଙ୍କୁ ।