କ୍ରାଇମସ୍ପଟରେ ଯାଞ୍ଚ ପରେ ବ୍ରଜରାଜନଗରରେ ଥିବା ଗୋପାଳର ଭାଇଙ୍କ ହୋଟେଲରେ ପହଞ୍ଚି ଆଖପାଖ ଲୋକଙ୍କୁ ପଚରାଉଚରା କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା । ମାସେ ତଳେ ହୋଇଥିବା ଏହି ହୋଟେଲରେ ଫୁରସତ ସମୟରେ ବସାଉଠା କରୁଥିଲେ ଅଭିଯୁକ୍ତ ଗୋପାଳ । ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ପରଦିନଠୁ ହୋଟେଲେ ବନ୍ଦ ରହିଛି। ସେହିପରି ନବ ଦାସଙ୍କ ପିଏସଓଙ୍କୁ ମଧ୍ୟ ଜେରା ପାଇଁ ଥାନାକୁ ଡାକି ଜେରା କରିଛି ବ୍ରଜରାଜନଗର ପୋଲିସ।
ଗଞ୍ଜାମ ଜଳେଶ୍ବରଖଣ୍ଡିରେ ଗୋପାଳଙ୍କ ଘରେ ପରିବାର ସଦସ୍ୟଙ୍କୁ ଜେରା ପରେ ଗୋପାଳଙ୍କ ବଡ ଭାଇ ସତ୍ୟନାରାୟଣଙ୍କୁ କେଉଁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି କ୍ରାଇମବ୍ରାଞ୍ଚ ଟିମ୍। ସକାଳେ ବନ୍ଦ ଘରେ ପରିବାରର ସମସ୍ତ ସଦସ୍ୟଙ୍କୁ ଘଣ୍ଟା ଘଣ୍ଟା ଧରି ଜେରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍।
ସେପଟେ ଏହି ଘଟଣାରେ ପୋଷ୍ଟମର୍ଟମ ରିପୋର୍ଟକୁ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଛନ୍ତି କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷ। ଗୋଟିଏ ପଟେ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ନଥିବା କୁହାଯାଉଥିଲା ବେଳେ ଅନ୍ୟପଟେ ବନ୍ଧୁକକୁ ନେଇ ସସପେନ୍ସ। ଅଭିଯୁକ୍ତ ଗୋପାଳଙ୍କୁ 2013 ମସିହାରେ ପିସ୍ତଲ ଇସ୍ୟୁ ହୋଇଥିଲା । 9mm ପିସ୍ତଲ ସହ 24ରାଉଣ୍ଡ ଗୁଳି ଦିଆଯାଇଥିଲା । ପୂର୍ବତନ ପୋଲିସ ଅଧିକାରୀଙ୍କ ମତରେ ମାନସିକ ସ୍ଥିତି ଠିକ୍ ନଥିବା ଜଣେ ଲୋକେ ଏଭଳି କରିବା ବିଶ୍ବାସଯୋଗ୍ୟ ନୁହେଁ।
ଗୃହ ବିଭାଗ ନିୟମ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ବା ଅନ୍ୟ କୌଣସି ମନ୍ତ୍ରୀଙ୍କ ଗସ୍ତ ବେଳେ ୟେଲୋ ବୁକ ଅନୁସାରେ ଏସଓ଼ପି ଜାରି ହୁଏ। ମନ୍ତ୍ରୀଙ୍କ ପିଏସ, ଜିଲ୍ଲାପାଳ, ଏସପିଓ଼, ଡିଜିଙ୍କୁ ମନ୍ତ୍ରୀଙ୍କ ଗସ୍ତ ବିଷୟରେ ଅବଗତ କରନ୍ତି। କିନ୍ତୁ ନବଙ୍କ ଗସ୍ତ ବେଳେ ଏହି ଏସଓ଼ପି ପାଳନ ହୋଇଥିଲା କି ? କାହିଁକି ନବ ଦାସଙ୍କୁ ହତ୍ୟା କଲେ ଏଏସଆଇ ଗୋପାଳ ଦାସ ? ହତ୍ୟା ପଛରେ କାରଣ କଣ ?