ନୂଆ ସରକାର ଆସିଲା, ଯାଜପୁର ଦୁର୍ନୀତିର ଗୁମର ଖୋଲିଲା । ସୂଚନା ଅନୁସାରେ, ଯାଜପୁରର ସୁକିନ୍ଦାରେ ଦେଶରେ ଗଚ୍ଛିତ ଥିବା ମୋଟ କ୍ରୋମାଇଟର ୯୭ ଭାଗ ରହିଛି । ଏଇଠୁ ପ୍ରତିବର୍ଷ ହଜାର ହଜାର କୋଟିର ମୂଲ୍ୟବାନ ଖଣିଜ ଉତ୍ତୋଳନ ହେଉଛି । ଯାହା ପାଇଁ ଯାଜପୁର ଜିଲ୍ଲାକୁ ମିଳୁଛି ହଜାର ହଜାର କୋଟିର ଖଣିଜ ପାଣ୍ଠି । ନିୟମ ଅନୁସାରେ ଯେହେତୁ କୋଟି କୋଟି ଟଙ୍କା ଆଦାୟ ହେଉଛି ତେଣୁ ସ୍ଥାନୀୟବାସିନ୍ଦାଙ୍କ ସ୍ଵାସ୍ଥ୍ୟଠାରୁ ଆରମ୍ଭ କରି ମୌଳିକ ବିକାଶ ହେବାର କଥା । ହେଲେ ସୁକିନ୍ଦାବାସୀ ପାଉଛନ୍ତି କଣ ? ଧୂଳି, ଧୁଆଁ, ମାତ୍ରାଧିକ ପ୍ରଦୂଷଣ, ପ୍ରଦୂଷିତ ପାଣି, ଯକ୍ଷ୍ମା ଓ କିଡନୀ ରୋଗ, ଆଉ ନଗଡ଼ାବାସୀଙ୍କୁ ଅପପୁଷ୍ଟି । ଆଜିକା ଦିନରେ ବି ନଗଡ଼ାର ଲୋକ ବିକାଶ କଣ ଦେଖିନାହାନ୍ତି । ଡାଲି ସେମାନଙ୍କ ଲାଗି ସ୍ଵପ୍ନ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସୂଚନା ଅନୁସାରେ, ବିଜେଡି ଶାସନର ଶେଷ ୯ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠିରୁ ଯାଜପୁରରେ ୬ ହଜାର ୪୦୦ ଟି ପ୍ରକଳ୍ପ ପାଇଁ ୨୮୫୫ କୋଟି ଟଙ୍କା ମଞ୍ଜୁର ହୋଇଛି, ଏଥିରୁ ୧୫ ଶହ ୩୬ କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଛି । ହେଲେ ସୁକିନ୍ଦାବାସୀଙ୍କ ବିକାଶ ସାତସପନ ହୋଇ ରହିଛି ।
ମୋଟ୍ ଉପରେ, ବିଜେଡି ନେତା ଅଂଚଳବାସୀଙ୍କ ବିକାଶକୁ ଗୁରୁତ୍ଵ ଦେବା ପରିବର୍ତ୍ତେ ନିଜ ବିକାଶକୁ ଅଧିକ ଗୁରୁତ୍ଵ ଦେଉଥିଲେ । ତେଣୁ ଏମିତି ସ୍ଥିତି ହୋଇଥିବା ନେଇ ଅଭିଯୋଗ ହେଉଛି । ସେପଟେ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଏବେ ବି ସୁକିନ୍ଦାର ୩୩୧ ଜଣ ଯକ୍ଷ୍ମା ରୋଗୀ ଚିକିତ୍ସାଧୀନ ଅଛନ୍ତି । କିଡନୀ ରୋଗ ଅନେକଙ୍କର ଜୀବନ ନେଇଥିବାବେଳେ ଆହୁରି ଅନେକ ମରଣ ସହ ସଂଘର୍ଷ କରୁଛନ୍ତି । ଯଦି ସୁକିନ୍ଦାବାସୀଙ୍କ ବିକାଶ କ୍ଷେତ୍ରରେ ନବୀନ ବାବୁ ଧ୍ୟାନ ଦେଇଥାଆନ୍ତେ ତାହାଲେ ଏମିତି ମରଣ ସହ ସଂଘର୍ଷ କରୁନଥାଆନ୍ତେ ଲୋକେ ବୋଲି କୁହାଯାଉଛି । ତେବେ ଏନେଇ ବିଜେଡି ନେତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।