ସଜସଜ ଦଶହରା ଯାଇଛି । ତେଣୁ ଏବେ ବି ଅନେକ ପୂଜାମଣ୍ଡପରେ ଗେଟ୍ ଖୋଲା ସରିନି । ଯଦି ଆଜି ଦିନ ୨ଟା ସୁଦ୍ଧା କମିଟି ପକ୍ଷରୁ ତୋରଣ ଖୋଲାନଯାଇଥାଏ ତେବେ ଜେସିବି ଲଗାଇ ଗେଟ୍ ଭାଙ୍ଗିବାକୁ ପ୍ରଶାସନକୁ ନିର୍ଦ୍ଦେଶ ମିଳିଛି । କେବଳ ସେତିକି ନୁହେଁ ନିର୍ଦ୍ଧାରିତ ସମୟ ଭିତରେ ଗେଟ୍ ଭାଙ୍ଗୁନଥିବା ମଣ୍ଡପକୁ ଆସନ୍ତାବର୍ଷ ତୋରଣ ନିର୍ମାଣ ଏନଓସି ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ପକ୍ଷରୁ ସ୍ବତନ୍ତ୍ର ଭାବେ ସହରର ସମସ୍ୟା ସମ୍ପର୍କିତ ମାମଲାର ଶୁଣାଣି କରାଯାଇଥିଲା । ଏଥିରେ ଦଶହରା ପାଇଁ ନିର୍ମାଣ ହୋଇଥିବା ଗେଟ ହଟାଯାଇନଥିବାରୁ ହାଇକୋର୍ଟଙ୍କ ବାର ଆସୋସିଏସନ୍ସର ସଭାପତି ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ହାଇକୋର୍ଟ ଏହାକୁ ଗମ୍ଭୀରତାର ସହ ନେଇଥିଲେ । ଏନେଇ ପ୍ରଶାସନ ଠାରୁ ଜବାବ ଚାହିଁଥିଲେ । ୨୪ ଘଣ୍ଟା ଭିତରେ ଗେଟ୍ ହଟାଇବାକୁ ସିଏମସି କମିଶନର ସବୁ ପୂଜା ମଣ୍ଡପକୁ ଚିଠି ଲେଖିଛନ୍ତି । ସେହିପରି ଛାତ ଉପରେ ଅନ୍ୟାନ୍ୟ ବିପଦସଙ୍କୁଳ ହୋର୍ଡ଼ିଂ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।
ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁଠି ପ୍ରସ୍ତୁତି ଚାଲିଛି । କାରଣ ପୂର୍ବରୁ ପୂଜା ବେଳେ ଆସିଥିବା ବାତ୍ୟାରେ ଅନେକ ତୋରଣ ଭାଙ୍ଗି ପଡ଼ିଥିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ତେଣୁ ସେହି ପୂଜା ପରେ ଏଥର ବାତ୍ୟା ଆସୁଥିବାରୁ ତୋରଣ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ ନିର୍ଦ୍ଦେଶ ମାନିବେ ନାହିଁ ସେମାନଙ୍କ ବିରୋଧରେ ଆକ୍ସନ ନେବାକୁ କୁହାଯାଇଛି । ସେପଟେ ପାଣିପାଗ ବିଭାଗର ସୂଚନା ଅନୁସାରେ ପାରାଦୀପ ରାଡାରରେ ବାତ୍ୟା ଦୃଶ୍ୟମାନ ହେଲାଣି । ଆଜି ଭୋରରୁ ହିଁ ଗଭୀର ଅବପାତ ବାତ୍ୟାର ରୂପ ନେବ । ବର୍ତ୍ତମାନ ସମୟରେ ଘଂଟାପ୍ରତି ୧୮ କିମି ବେଗରେ ବାତ୍ୟା ସ୍ଥଳଭାଗ ମୁହାଁ ହୋଇଛି । ଏହାର ପ୍ରଭାବରେ ଆଜି ସଂଧ୍ୟାରୁ ବର୍ଷା ହେବାକୁ ଥିବା ବେଳେ ଆସନ୍ତାକାଲି ବର୍ଷା ଓ ପବନର ବେଗ ବଢିବ ।