ପୁଣି ଭାଷଣ ବାଣ ଛାଡିଲେ ସୌମ୍ୟରଂଜନ । ଏଥରର ବାଣ ଛାତ୍ର ସଂସଦ ନିର୍ବାଚନକୁ ନେଇ । ଦୀର୍ଘଦିନ ହେବ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉନାହିଁ । ତେଣୁ ନିର୍ବାଚନ କରିବା ସପକ୍ଷରେ ମତ ବାଢିଛନ୍ତି ସୌମ୍ୟରଂଜନ ।
ତାରିଖ-୨, ଅବସର- ରସମା ବ୍ଲକ୍ ଶିଆଳି ବାଲିଯାତ୍ରା ଉତ୍ସବ । ମଂଚରେ ଭାଷଣ ଦେଉଦେଉ ସୌମ୍ୟ କହିଥିଲେ, ମୁଁ ସତକଥା କହେ ବୋଲି ଆମ ସରକାର ମୋ ଉପରେ ସନ୍ତୁଷ୍ଟ ନୁହଁନ୍ତି । ସତକଥା ଟି ହେଲା, ଯୁବକ ମାନଙ୍କ ମଧ୍ୟରେ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଆନଯିବା । ଛାତ୍ରସଂସଦ ନିର୍ବାଚନ ଗଣତନ୍ତ୍ର ଓ ନେତୃତ୍ୱର ବିକାଶ ପାଇଁ ସୁଯୋଗ ଦିଏ । ଯିଏ ବରଯାତ୍ରୀ ଯାଇନି, ସିଏ ବାହାଘର ମଜା କୁଆଡୁ ଜାଣିବ ବୋଲି ବି କହିଥିଲେ ସୌମ୍ୟ । ସରକାର ଖୁବଶୀଘ୍ର ଏ ସମ୍ପର୍କରେ ଚିନ୍ତା କରିବେ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଫେରାଇ ଆଣିବେ ବୋଲି ତାଙ୍କ ଆଶା । ଖାଲି ଏତିକି ନୁହେଁ ବରଂ ଧଳା ସାର୍ଟ ପିନ୍ଧିଦେଲେ କେହି ନେତା ହେବେନି ବୋଲି କହିବାକୁ ପଛାଇନଥିଲେ ସୌମ୍ୟ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା ଫାଇଭ୍-ଟି ସଚିବ ଓ ନବୀନଙ୍କୁ ନେଇ ବାରମ୍ବାର ଟିପ୍ପଣୀ ଦେବା ପରେ ସେପଟେମ୍ବର ୨୧ ତାରିଖରେ ବିଜେଡିରୁ ସୌମ୍ୟଙ୍କୁ ସସପେଣ୍ଡ କରିଥିଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ପରେ ତାଙ୍କ କମ୍ପାନୀ ବିରୋଧରେ ମାମଲା ବି ହେଲା । ଏ ସବୁ ପରେ କିଛିଦିନ ଗଣମାଧ୍ୟମ ସାମ୍ନାରୁ ଦୂରେଇ ରହୁଥିଲେ ସୌମ୍ୟ । ହେଲେ ଏବେ ପୁଣି ଥରେ ମୁହଁ ଖୋଲିଥିବାରୁ ତାଙ୍କୁ ନେଇ ବଢିଲାଣି ଚର୍ଚ୍ଚା ।