ଗବେଷଣା ସନ୍ଦର୍ଭ କୁହେ, ଏହି ମନ୍ଦିର ନିର୍ମାଣ ପୂର୍ବରୁ ଏଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ପୂଜିତ ହେଉଥିଲେ। ଗଜପତିମାନଙ୍କ ସହ ଗଡଜାତ ରାଜାମାନଙ୍କର ଉତ୍ତମ ସମ୍ପର୍କ ଥିବାରୁ ପ୍ରତି ଗଡଜାତରେ ଜଗନ୍ନାଥ ମନ୍ଦିରମାନ ପ୍ରତିଷ୍ଠା ହେଉଥିଲା। ଏହି କ୍ରମରେ ନୟାଗଡର ୯ମ ରାଜା ବାଘ ସିଂ, ଏଠାରେ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କରି ପୂଜା କରୁଥିଲେ। କିନ୍ତୁ ମନ୍ଦିର ନିର୍ମାଣ ହୋଇ ନ ଥିଲା। ନୟାଗଡର ୧୯ତମ ରାଜା ମୃତ୍ୟୁଞ୍ଜୟ ସିଂହ ମାନଧାତା ମନ୍ଦିର ନିର୍ମାଣ ପାଇଁ ଉପକ୍ରମ ଆରମ୍ଭ କରନ୍ତି। ଫଳରେ ଏଠାରେ ପୂଜିତ ବିଗ୍ରହ ନିକଟସ୍ଥ ସିନ୍ଦୁରିଆକୁ ବିଜେ କରନ୍ତି।
ମନ୍ଦିର ନିର୍ମାଣ ସରିଲା ବେଳକୁ ବିନାୟକ ସିଂ ମାନଧାତାଙ୍କ ସମୟ(୧୭୮୮-୧୮୦୮)। ଏହି ସମୟରେ ଦିଅଁମାନଙ୍କୁ ସିନ୍ଦୁରିଆରୁ ନୟାଗଡର ଏହି ଜଗନ୍ନାଥ ମନ୍ଦିରକୁ ବିଜେ କରାଯାଏ। କିନ୍ତୁ ସେତେବେଳକୁ ମନ୍ଦିରର ଜଗମୋହନ ନିର୍ମାଣ ସରି ନ ଥିଲା। ରାଜାଙ୍କ ମୃତ୍ୟୁ ଘଟେ। ପରେ ଗୋଟିଏ ଲୋକକଥା ବ୍ୟାପିଯାଏ, ଯିଏ ଏହି ଦେଉଳର ମୁଖଶାଳା ବା ଜଗମୋହନ ନିର୍ମାଣ କରିବ ତାର ଅକାଳ ମୃତ୍ୟୁ ଘଟିବ। ଫଳରେ ପରବର୍ତ୍ତି ସମୟରେ ନୟାଗଡ ଗଡଜାତକୁ ଶାସନ କରୁଥିବା କୌଣସି ରାଜା ଜଗମୋହନ ନିର୍ମାଣ କରିବାକୁ ସତ୍ ସାହସ କରନ୍ତି ନାହିଁ।
କିନ୍ତୁ ଏହି କ୍ରମରେ ବ୍ୟତିକ୍ରମ ଘଟାଇ ଗଡ଼ଯାତର ଶେଷ ରାଜା କୃଷ୍ଣଚନ୍ଦ୍ର ସିଂ ମାନଧାତା ଦେଉଳର ମୁଖଶାଳା ବା ଜଗମୋହନ ନିର୍ମାଣ କରିବାକୁ ଆଗଭର ହୁଅନ୍ତି। କେବଳ ଛାତ ପଡି, ପଞ୍ଚରଥ ଶୈଳୀର ଏହି ନିର୍ମାଣ ନିର୍ମାଣ ସମ୍ପନ୍ନ ହୁଏ।
ଆଉ ସେବେଠାରୁ ଏ ଦେଉଳ ଏମିତି ଦିଶୁଛି। ଉତ୍କଳୀୟ ମନ୍ଦିର ଶୈଳୀରେ ଏହା ଭିନ୍ନ ଏକ ଭାବାନ୍ତର ସୃଷ୍ଟିକରେ। ୧୨୦ ଫୁଟ ଉଚ୍ଚର ଏହି ଦେଉଳରେ କାଳିଆ ସାଆନ୍ତଙ୍କ ସମସ୍ତ ନୀତି ସମ୍ପନ୍ନ ହେଉଛି। କୁହାଯାଏ ବିନାୟକ ସିଂ ମାନଧାତାଙ୍କ ରାଜକବି ଥିଲେ ଉତ୍କଳ ଘଣ୍ଟ ଯଦୁମଣୀ ମହାପାତ୍ର। ଯାହାଙ୍କ ପରିବାର ଲୋକେ ଏବେ ମଧ୍ୟ ଏହି ମନ୍ଦିରରେ ପୂଜିତ ଶ୍ରୀ ବିଗ୍ରହଙ୍କର ବନକଲାଗି ସେବା ସମ୍ପନ୍ନ କରୁଛନ୍ତି।
ଆଲେଖ୍ୟ : ମିହିର ପଟ୍ଟନାୟକ
ତଥ୍ୟ : ନାଟ୍ୟଭୂଷଣ ବିଜୟ କୁମାର ଚୌଧୁରୀ