ଜାଣେନା କିଭଳି ତିଆରି କରିପାରିଲି, କିଭଳି ଆଜି ସେହି ବିଗ୍ରହ ପାଇଁ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲି । କାଳିଆ କରୁଣା ହିଁ ଆଜି ମୋତେ ଦେଇଛି ନୂଆ ପରିଚୟ । ସେ ନିଜେ ମୋ ହାତରେ ଗଢାଇଦେଲେ ନିଜର ସବୁଠାରୁ ଛୋଟ ବିଗ୍ରହ। ଆମେ କହୁଛୁ ଉଦଳା ଏନଏସି ୮ ନଂ ୱାର୍ଡର ତୁଷାର ମହାନ୍ତିଙ୍କ କଥା । ୫ ମିଲିମିଟରର ଜଗନ୍ନାଥଙ୍କ ବିଗ୍ରହ ନିମ୍ବ କାଠରେ ତିଆରି କରି ସେ ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ଲକ୍ଡାଉନରେ ଘରେ ଥିବା ସମୟରେ ସେ ଆରମ୍ଭ କରିଥିଲେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ବିଗ୍ରହ ତିଆରି କରିବା । ନିମ୍ବ ଦାରୁରେ ବିଭିନ୍ନ୍ ଉଚ୍ଚତାର ବିଗ୍ରହ ତିଆରି କରି ଆସିଥିଲେ । ପୂର୍ବରୁ ମଧ୍ୟ ସେ ୩ ସେଣ୍ଟିମିଟରର ଜଗନ୍ନାଥଙ୍କ ବିଗ୍ରହ ତିଆରି କରି ଚର୍ଚ୍ଚାକୁ ଆସିଥିଲେ । ଜଗନ୍ନାଥଙ୍କ ଆଶିଷ ନେଇ ତାଙ୍କରି ବିଗ୍ରହ ତିଆରି କରିବାରେ ଲାଗି ପଡିଥିବା ତୁଷାର ଆଜି ରଚିଛନ୍ତି ଏକ ନୂଆ ରେକର୍ଡ । ଯାହାକୁ ଗଢିବା ଯେକୌଣସି ବ୍ୟକ୍ତି ବା କାରିଗରଙ୍କ ପକ୍ଷେ ନିଶ୍ଚିତ ଭାବେ କଷ୍ଟକର । ହେଲେ ଗୋଟିଏ ରାତିରେ ମାତ୍ର ୩ ଘଣ୍ଟା ମଧ୍ୟରେ ସେ ପ୍ରଭୁ ଜଗନ୍ନାଥଙ୍କର ସବୁଠାରୁ ଛୋଟ ବିଗ୍ରହ ତିଆରି କରି ଆଜି ରେକର୍ଡ କରିଛନ୍ତି। ପୂର୍ବରୁ ମଧ୍ୟ ତୁଷାର ବିଭିନ୍ନ ସମୟରେ ଚତୁର୍ଦ୍ଧାଦେବଙ୍କ ବିଗ୍ରହ ତିଆରି କରିବାକୁ ନେଇ ଚର୍ଚ୍ଚାରେ ରହିବା ସହିତ ବିଭିନ୍ନ ସ୍ଥାନରୁ ପୁରସ୍କୃତ ହୋଇଛନ୍ତି ।
ତୁଷାର ଅଧିକାଂଶ ସମୟରେ କେବଳ ମହାପ୍ରଭୁଙ୍କ ବିଗ୍ରହ ପ୍ରସ୍ତୁତ କରିଛନ୍ତି। ତେବେ ଜଗନ୍ନାଥଙ୍କ ଆଶିଷରୁ ରେକର୍ଡର ଅଧିକାରୀ ହୋଇପାରିଛନ୍ତି ବୋଲି କୁହନ୍ତି । ପରିବାର ଲୋକେ ତାଙ୍କୁ ସମର୍ଥନ ଜଣାଇ ଆସିଥିଲେ ସୁଦ୍ଧା ଏଭଳି ଏକ ଦିନ ଜଗନ୍ନାଥ ଆଣି ଦେବେ ବୋଲି କେତେ ଆଶା କରି ନ ଥିବା କହିଛନ୍ତି ପରିବାର ସଦସ୍ୟ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର