ମଞ୍ଚରେ ବିଧାୟକ-ସାଂସଦ ମୁହାଁମୁହିଁ । ସ୍ଵାୟତ୍ତ ଶାସନ ଦିବସରେ ଯାଜପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯାଜପୁର ବିଜେପି ସାଂସଦ ରବି ନାରାୟଣ ବେହେରା ଓ ବିଜେଡି ବିଧାୟକ ସୁଜାତା ସାହୁଙ୍କ ମଧ୍ୟରେ କଥା କଟାକଟି ହୋଇଛି । ତାହା ପୁଣି ଭରା ମଂଚରେ । ଯାଜପୁରର ବିକାଶ କିଏ କରିଛି ? ତାହା ସରକାରୀ ଓ ବିରୋଧୀ ଦଳ ନେତାଙ୍କୁ ଦେଖାଯାଉନି ବୋଲି କହିଦେଲେ । ବୋଧହୁଏ ବିଧାୟିକା ଜାଣିନାହାନ୍ତି ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଅଛନ୍ତି । କେବଳ ଶାସକ ଦଳରୁ ଟାର୍ଗେଟ୍ କରୁକରୁ ବିରୋଧୀଙ୍କୁ ବି ଟାର୍ଗେଟ୍ କରିଦେଲେ । ସୁଜାତା କହିଥିଲେ, କଳା ଚଷମା ପିନ୍ଧିଥିବାରୁ ସବୁ କିଛି କଳା ଦେଖାଯାଉଛି । ଧଳା ଚଷମା ପିନ୍ଧିଲେ ସବୁ କିଛି ଧଳା ଦିଶିବ । ଯାଜପୁରର ଅନେକ ବିକାଶ ହୋଇଛି, ଆଉ ଯାଜପୁରର ବିକାଶ କରିଛନ୍ତି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ।
ସୁଜାତାଙ୍କ ଏହି ମନ୍ତବ୍ୟ ପରେ ପୋଡିୟମକୁ ଆସି ଯାଜପୁର ସାଂସଦ ରବି ବେହେରା ଏହାର କଡ଼ା ଜବାବ ରଖିଥିଲେ । ରୋକଠୋକ କହିଥିଲେ, କେହି କଳା କିମ୍ବା ଧଳା ଚଷମାରେ ଦେଖନ୍ତିନି । ଯାଜପୁରର ବିକାଶ ହୋଇଛି ହେଲେ ଯାଜପୁର ଦୂର୍ନୀତିର ଗନ୍ତାଘର ପାଲଟିଛି । କେମିତି ଦୁର୍ନୀତି ମୁକ୍ତ ଯାଜପୁର ହେବ ସେଥିପାଇଁ କାମ କରିବାକୁ ପଡ଼ିବ ।
ଗୁରୁତ୍ଵପୂର୍ଣ୍ଣ କଥା ହେଲା, ଅନେକ ଦିନ ହେଲାଣି ରାଜନୀତିରେ ଯାଜପୁର ରହିଛି । କାରଣ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ବିକାଶ ନାଁରେ କୋଟି କୋଟି ଟଙ୍କା ଦୁର୍ନୀତି କରିଛନ୍ତି । ଏକଥା ଜଳଜଳ ହୋଇ ସ୍ପଷ୍ଟ ହୋଇଛି । ଏମିତିକି ଅନ୍ୟ ଜିଲ୍ଲାର ସାଂସଦଙ୍କ ଟଙ୍କା ସହ ରାଜ୍ୟସଭାର ସାଂସଦକୁ ଯାଜପୁରରେ ହାତପାଣ୍ଠି ଖର୍ଚ୍ଚ କରିବାକୁ ବାଧ୍ୟ କରାଯାଉଥିବାର କଥା ବି ସାମ୍ନାକୁ ଆସିଛି । ହେଲେ ଏହାରି ଭିତେର ବିଧାୟିକା ଓ ସାଂସଦ ଯେଉଁପରି ଭାବରେ କଥା କଟାକଟି ହେଲେ ତାହା ରାଜନୀତିକୁ ଆହୁରି ଖୋରାକ ଯୋଗାଇଛି ।
(ଯାଜପୁରରୁ ପରମେଶ୍ଵର ବେଉରିଆଙ୍କ ରିପୋର୍ଟ)