ଆଖିର ଲୁହରେ ଅର୍ଚ୍ଚନା କରୁଥିବା ମା’ ଲଳିତା ଏଥର ସମର୍ପିତ ହେବାକୁ ଆଗଭର ହୁଅନ୍ତି। ନିଜକୁ ଦୌପଦୀ ଆଉ କୁନ୍ତୀଙ୍କ ଭାବରେ ଭାବାୟିତ କରନ୍ତି। ଦୁଃଖ ଦେଉଥିବା ଦିଅଁଙ୍କୁ ମାଗନ୍ତି ଅଣ୍ଟି ପୂରିଲା ଯାଏଁ ଦୁଃଖ। ଦିଅ ଗୋପିନାଥ ଦିଅ। ମନ ପୂରିଲା ଯାଏଁ ଦୁଃଖ ଦିଅ। ପୋତିଦିଅ ଦୁଃଖତ ଅଥଳ ଜଳରେ। ତୁମେ ଦୁଃଖ ଦେଲେ, ମୁଁ ତୁମକୁ ଭାବିବି। ତୁମ ଭକ୍ତିରେ ବୁଡି ବୁଡି ନୂଆ କିଛି ଆବିଷ୍କାର କରିବ।
ଏତିକି ଭାବାନ୍ତରରେ ଠାକୁରଙ୍କ କୋଳରେ ନିଉଛାଳି ହେଲେ ମା’ ଲଳିତା। କହିଲେ, ହେ ପ୍ରଭୁ, ମୋ ପୁଅ ତୁମକୁ ଲାଗିଲା। ବଞ୍ଚିଗଲେ ତୁମର, ମରିଗଲେ ବି ତୁମର। ତୁମେ କେମିତି ତାକୁ କୋଳେଇ ନେବ ସେ କଥା କେବଳ ତ ତୁମକୁ ହିଁ ଜଣା ଗୋପୀନାଥ। ବାସ୍ ଏତିକି ମାତ୍ର ମାଗୁଣି ।
ସାଲବେଗଙ୍କ ପାଖକୁ ଗଲେ ମା’ ଲଳୀତା।
ମା’, ମୁଁ ଆଉ ବଞ୍ଚିବିନି। ଦୁଃଖ, ଯନ୍ତ୍ରଣା ଆଉ ବିମର୍ଷ ମୁହଁରେ ସାଲବେଗଙ୍କ ଏ କ୍ଷେଦୋକ୍ତି। ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ ଇଶ୍ବରଙ୍କୁ କେବଳ ପ୍ରାର୍ଥନା କରିବା ଛଡା ତାଙ୍କ ପାଖରେ ଆଉ କୌଣସି ଚାରା ନ ଥାଏ। ଗୋଟେ ଯୁବକ ପୁଅର ମୃତ୍ୟୁ ମନସ୍କତା ଦେଖି, ସେଦିନ କିନ୍ତୁ କାନ୍ଦି ନ ଥିଲେ ମା’ ଲଳିତା। କେବଳ ଗୋପୀନାଥଙ୍କ ଉପରେ ପ୍ରଚଣ୍ଡ ଭରସାକୁ ସେ ସ୍ପଷ୍ଟ କରି ଦେଇଥିଲେ।
ମନେପଡିଥିଲା, ମହାଭାରତର ସେଇ ନାରୀ ଚରିତ୍ର ଦୌପଦୀ। ବିବସନା ହେବାର ସେ ମୂହୂର୍ତ୍ତ। ୫, ପାଞ୍ଚଟା ସ୍ବାମୀ ଥିଲେ, ଗଙ୍ଗାପୁତ୍ର ଭୀଷ୍ମ ଥିଲେ, ବିଦ୍ବାନ ବିଦୁର, ପର୍ଶୁରାମ ଶିଷ୍ୟ ଦ୍ରୋଣ ଆଉ କର୍ଣ୍ଣ ବି ଥିଲେ। ନ ଥିଲେ କେବଳ କୃଷ୍ଣ। ତଥାପି ବିଶ୍ବାସ ଆଉ ଭରସାରେ ଏକବସନା ଦୌପଦୀ ଟେକି ଦେଇଥିଲେ ହାତ। କେଶବ, ରକ୍ଷା କରିବ ତ କର । ମୋ ଭରଷା ଅନ୍ୟ କେହି ନାହିଁ। ବାସ୍ ଶେଷ ଅସ୍ତ୍ର ସମର୍ପଣ। ମହାଭାରତ ଯୁଦ୍ଧ ଅୟମାରମ୍ଭ ପର୍ବର ସବୁଠାରୁ ମାର୍ମିକ ଘଟଣା।
ଆଜି ଠିକ୍ ସେହିଭଳି ଭକ୍ତି ଯଜ୍ଞରେ ସମର୍ପିତ ହେବାକୁ ଯାଉଥିଲେ, ଲଳିତା ଆଉ ସାଲବେଗ।
ପୁତ୍ର ସାଲବେଗ। ବ୍ୟସ୍ତ ହୁଅନି। ସେ ବୃନ୍ଦାବନ ବିହାରୀ ଶ୍ରୀକୃଷ୍ଣ ହିଁ ତୁମର ରକ୍ଷା କରିବେ। ତୁମେ ବଞ୍ଚିବ। ଗୋଟିଏ ସୁନ୍ଦର ଜୀବନ। ବଇଦ ଆଉ ଔଷଧଠାରୁ ପରମ ଶକ୍ତିଶାଳୀ ସେହି ବୃନ୍ଦାବନ ବିହାରିଙ୍କ ନାମ। ବାସ୍ ମନେ ମନେ କେବଳ ତାଙ୍କୁ ହିଁ ସୁମରଣା କର।
ସାଲବେଗଙ୍କ ଶରୀର ରୋମାଞ୍ଚିତ ହେଲା। ଲୋମମୂଳ ଟାଙ୍କୁରୀ ଉଠିଲା। ଗୋପିନାଥ। କିଏ ଏହି ଗୋପୀନାଥ। ଶ୍ୟାମ ଦୁର୍ବାଦଳ ତନୁ। ପୀତ ବସନ, ସହାସ୍ୟ ବଦନ। ହାତରେ ମୁରଳୀ ଧରିଥିବା ଜଣେ ହିନ୍ଦୁ ଦେବତା। ମା’ ମୁଁ କ’ଣ ତାଙ୍କୁ ଦେଖି ପାରିବି। ଏ ପ୍ରଶ୍ନ ସରିଲା ବେଳକୁ ସମର୍ପଣର କୃଷ୍ଣ ନାମ ସାଲବେଗଙ୍କ ତୁଣ୍ଡରେ ବସା ବାନ୍ଧି ସାରିଥାଏ। ଲାଲକୋଠି କହୁଥାଏ କାଠଯୋଡିକୁ। ଆ.. ଉତ୍ସବ କରିବା। ସାଆନ୍ତେ ଲୀଳା କଲେଣି ପରେ। କେତେ ବର୍ଷ ବିତିଲାଣି। କେତେ ଫଗୁଣ, କେତେ ବସନ୍ତ ଗଲାଣି। ହେଲେ ଏ କର୍ଣ୍ଣ ଯାହା ତୁଣ୍ଡରୁ କୃଷ୍ଣ ନାମ ଶୁଣିବାକୁ ତରସୁଥିଲା, ସେଠି ଆଜି କୃଷ୍ଣ ନାମର କୀର୍ତ୍ତନ ଚାଲିଛି। ମୁକ୍ତିର କୀର୍ତ୍ତନ, ସମର୍ପଣର କୀର୍ତ୍ତନ। ଆକାଶରେ ଘୋଟେଇଲା କଳାମେଘ, ନାଚିଲା ମୟୂର। ଶ୍ବଦାୟିତ ଆଉ ତରଙ୍ଗାୟିତ ହେଉଥାଏ କଟକ ସହରୟ ଗୋଟେ ବିଚିତ୍ର ପୁଲକରେ।
ନିଶା କ୍ରମଶ ନିବିଡ ହେଉଥାଏ। ବର୍ଷାର ପଦପାତ ଭିତରେ ଯବନ ସାଲବେଗ ମୁହଁରେ କୃଷ୍ଣର ନାମ। ଓଃ କି ଭାବାନ୍ତର ଇଏ। ଜଡମାନେ ଚେତନା ପାଉଥାନ୍ତି। ଚେତନ ମାନେ ଜଡ ହେଇ ପଡୁଥାନ୍ତି। ସାଲବେଗଙ୍କ ଭିତରେ ଜନ୍ମ ନେଉଥାଏ, କବିଟିଏ ଯିଏ ଗାଇବାକୁ ପ୍ରସ୍ତୁତ ହେଉଥାଏ, ବୃନ୍ଦାବନେ ବଂଶୀ କେ ବଜାଇଲା… ଏକା ରାଧା ରାଧା ନାମ ରାଇଲା…।