ଅର୍ଗସ ବ୍ୟୁରୋ: ଆସନ୍ତା ଜୁନ୍ ୪ ତାରିଖରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର ବାଇଶି ଦିନର ଅପେକ୍ଷା ।ଏନେଇ ଜାରି ରହିଛି ସମସ୍ତ ପ୍ରସ୍ତୁତି। ମହାପ୍ରଭୁଙ୍କ ରଥନିର୍ମାଣ କାର୍ଯ୍ୟ ଛତିଶି ଦିନରେ ପହଞ୍ଚିଥିବା ବେଳେ ରଥଖଳାରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ତିନିରଥର ପାଞ୍ଚଦଣ୍ଡା ପଡିବା ପରେ ଆଗ ମୁହାଟ, ପଛ ମୁହାଟ, ଗୁଜ, ଜଳଯନ୍ତ୍ର ଓ ନିରାଡି ସଂଯୋଗ ସରିଛି। ଛନ୍ଦା ଗୟଳ କାମ ମଧ୍ୟ ତ୍ୱରାନ୍ୱିତ ହୋଇଛି । ସେପଟେ ସ୍ନାନପୂର୍ଣ୍ଣିମା ପୂର୍ବରୁ ସ୍ନାନବେଦୀ ପାଇଁ ଚାନ୍ଦୁଆ ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଅନ୍ୟପଟରେ ମହାପ୍ରଭୁଙ୍କ ପହଣ୍ଡି ପାଇଁ ସେନାପଟା, ବିଜେ ତୋଳି, ନାଡ଼ା, ମାଠ, ହାତୀ ଗଡା ଆଦି କନା ସିଲେଇ କାର୍ଯ୍ୟ ଆରମ୍ଭ ହୋଇଛି ।
ସେପଟେ ଦେବସ୍ନାନ ପୂର୍ଣ୍ଣିମାକୁ ଆଉ ମାତ୍ର ପାଞ୍ଚଦିନ ବାକିଥିବା ବେଳେ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଦେବସ୍ନାନ ମଣ୍ଡପ ସମ୍ମୁଖ ବଡ଼ଦାଣ୍ଡରେ ସେଡର ବ୍ୟବସ୍ଥା କରାଯିବା ସହ ଯିବା ଆସିବା କରିବା ପାଇଁ ପ୍ୟାସେଜ ରହିବ। ପ୍ରଚଣ୍ଡ ଖରା ଓ ଗୁଳୁଗୁଳିକୁ ଲକ୍ଷ୍ୟ ରଖି ପାନୀୟ ଜଳର ବ୍ୟବସ୍ଥା କରାଯିବ। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମର୍ଚ୍ଚିକୋଟ କିମ୍ବା ମାର୍କେଟ ଛକଠାରୁ ବ୍ୟାରିକେଡ ନିର୍ମାଣ କରାଯିବ। ସ୍ନାନପୂର୍ଣ୍ଣମୀ ଦିନ ଶ୍ରୀଜୀଉଙ୍କ ପହଣ୍ଡି, ଜଳବିଜେ, ଜଳଲାଗି ଓ ହାତୀବେଶ ସହ ନୀତି କାନ୍ତି କିଭଳି ଠିକ୍ ଭାବେ ସମ୍ପାଦନ ହେବ ସେ ଉପରେ ଗୁରୁତ୍ବ ଦିଆଯାଇଛି।
ଅନ୍ୟପଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ଅଗ୍ରଗତିକୁ ନେଇ ଦେଖାଦେଇଛି ଅସନ୍ତୋଷ। ବାହ୍ୟ ପ୍ରଦକ୍ଷଣ ମାର୍ଗକୁ ଜୁନ 1 ତାରିଖ ସୁଦ୍ଧା ସାରିବା ପାଇଁ ସମନ୍ବୟ ବୈଠକ ପରେ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଢିଲା ମାରିଛି ନିର୍ମାଣକାରୀ ସଂସ୍ଥା ।ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ ମାଧବ ପୂଜାପଣ୍ଡା ।
ସେପଟେ ରଥଯାତ୍ରା ପୂର୍ବରୁ ଅନ୍ତତଃ ବାହ୍ୟ ପ୍ରଦକ୍ଷଣ ମାର୍ଗ କାର୍ଯ୍ୟ ସରିଯିବ ବୋଲି ଜିଲ୍ଲାପାଳ କହିଥିବା ବେଳେ ପରିଚାଳନା କମିଟି ସଦସ୍ୟ କିନ୍ତୁ ନିର୍ମାଣ ସରିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ।
ଆସନ୍ତାକାଲି ହେବ ମହାପ୍ରଭୁଙ୍କ ରାଜେନ୍ଦ୍ରଭିଷେକ। ଏବଂ ଚାହୁଁ ଚାହୁଁ ରଥଯାତ୍ରା ସମୟ ଉପନୀତ ହେବ। ୟାରୀ ଭିତରେ ପରିକ୍ରମା ପ୍ରକଳ୍ପର ଅନ୍ତତଃ ବାହ୍ୟ ପ୍ରଦକ୍ଷଣ ନିର୍ମାଣ କାର୍ଯ୍ୟ ନସରିଲେ ଉଭୟ ପର୍ଯ୍ୟଟକ ଓ ସାତସାହି ବାସୀନ୍ଦାଙ୍କ ପାଇଁ ଏହା ଯନ୍ତ୍ରଣାଦାୟୀ ହେବ।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର