ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଓଡ଼ିଶାରେ ସ୍ଥାଣୁ, ଅପାରଗ, ଦୁର୍ନୀତିଗ୍ରସ୍ତ ଓ ଭ୍ରଷ୍ଟାଚାରୀ ଶାସନ ବ୍ୟବସ୍ଥା ଚାଲିଛି । ଏ ସରକାରରେ ତାଙ୍କ ଦଳର ଅନେକ ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ନାଁରେ କେଳେଙ୍କାରୀର ଅଭିଯୋଗ ଆସିଛି । ତାଙ୍କ ଦଳୀୟ ମହିଳାମାନେ ଦଳୀୟ ନେତୃତ୍ୱ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସଦ୍ୟତମ ଏନସିଆରବି ରିପୋର୍ଟ ଅନୁସାରେ ଦେଶରେ ମହିଳା ଅପରାଧରେ ଓଡ଼ିଶା ଆଗରେ ରହିଛି । ସ୍ଥାନୀୟ ସରକାର ପଦଚ୍ୟୁତ ହେଲେ ହିଁ ମମତା ମେହେର, ପରୀକୁ ସଠିକ୍ ନ୍ୟାୟ ମିଳିପାରିବ । ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ନବଜାତ ଶିଶୁ ଓ ମହିଳାମାନେ ସବୁଠୁ ଖରାପ ସ୍ଥିତିରେ ଅଛନ୍ତି । ଏହା ବିରୋଧରେ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ କରିବା ପାଇଁ ରାଜ୍ୟ ମହିଳା ମୋର୍ଚ୍ଚା ସଂକଳ୍ପ କରିଛି ।
ଦେଶର ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସରକାର ସବୁବେଳେ ନାରୀ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଆସିଛନ୍ତି । ମହିଳାଙ୍କୁ ସାମାଜିକ ଓ ରାଜନୈତିକ ସ୍ତରରେ ଯଥୋଚିତ ସମ୍ମାନ ଦେବା ସହ ସେମାନଙ୍କୁ ସ୍ୱାବଲମ୍ବୀ ଓ ଆତ୍ମନିର୍ଭର କରିବା ପାଇଁ ବିଗତ ସାଢେ ୯ ବର୍ଷ ଧରି ଅନେକ କଲ୍ୟାଣକାରୀ ପଦକ୍ଷେପ ନିଆଯାଇଛି । ମହିଳା ସଶକ୍ତିକରଣ ଆଜି ମୋଦିଙ୍କ ଗ୍ୟାରେଣ୍ଟି ହୋଇଛି । ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ଅଣାଯାଇଛି ।
ଆଜି ଓଡ଼ିଶାରେ ୧ କୋଟିରୁ ଉର୍ଦ୍ଧ୍ୱ ମହିଳା ହିତାଧିକାରୀଙ୍କ ଜନଧନ ଆକାଉଣ୍ଟ ଖୋଲାଯାଇଛି । ସ୍ୱଚ୍ଛ ଭାରତ ଅଭିଯାନ ମାଧ୍ୟମରେ ରାଜ୍ୟରେ ୭୭ ଲକ୍ଷ ଶୌଚାଳୟ ନିର୍ମାଣ ହୋଇଛି । ପିଏମ ଆବାସରେ ୩୨ ଲକ୍ଷ ଘର ଦିଆଯାଇଛି । ଉଜ୍ଜ୍ୱଳା ଯୋଜନାରେ ୫୩ ଲକ୍ଷ ମହିଳା ହିତାଧିକାରୀଙ୍କୁ ମାଗଣା ଗ୍ୟାସ ଦିଆଯାଇଛି । ୫୬ ଲକ୍ଷ ପରିବାରକୁ ଜଳ ଜୀବନ ମିଶନରେ ପାଇପ ଯୋଗେ ସ୍ୱଚ୍ଛ ପାନୀୟ ଜଳ ପହଞ୍ଚାଯାଉଛି । ସେହିପରି ମୁଦ୍ରା ଲୋନ, ଏସଏଚଜି ସମୂହଙ୍କୁ ବ୍ୟାଙ୍କ୍ ମାଧ୍ୟମରେ କମ ସୁଧରେ ଋଣ ଉପଲବ୍ଧ କରାଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣାରେ ୨୦୨୯ ପର୍ଯ୍ୟନ୍ତ ୩.୨୫ କୋଟି ହିତାଧିକାରୀଙ୍କୁ ପ୍ରତି ମାସକୁ ଚାଉଳ ଉପଲବ୍ଧ କରାଯାଉଛି । ବିଶ୍ୱକର୍ମା ଯୋଜନା ସହ ୨ କୋଟି ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ ଦିଦି ବନାଇବା ପାଇଁ ଯୋଜନା କରିଛନ୍ତି, ଯାହାର ଭାଗ ଓଡ଼ିଶା ପାଇବ ।
ରାଜ୍ୟରେ ମୋଦିଜୀଙ୍କ ହାତମୁଠାକୁ ମଜଭୂତ୍ କରିବାକୁ ହେଲେ ବୁଥ ସ୍ତରରେ ମହିଳା ସଂଗଠନକୁ ଅଧିକ ସୁଦୃଢ଼ କରିବା ସହ ଘରେ ଘରେ ମୋଦି ସରକାରଙ୍କ କଲ୍ୟାଣକାରୀ ଯୋଜନାକୁ ପହଞ୍ଚାଇବାର ଗୁରୁ ଦାୟିତ୍ୱ ମହିଳା ମୋର୍ଚ୍ଚାକୁ ନେବା ପାଇଁ ହେବ । ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ କରିବା ପାଇଁ ହେଲେ ମହିଳାଙ୍କୁ ନେତୃତ୍ୱ ନେବା ପାଇଁ ପଡିବ । ମହିଳା ମାନଙ୍କ ନେତୃତ୍ୱ ହିଁ ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ଆଣିବ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।
ଗରିବଙ୍କ ପଇସାକୁ ଲୁଟୁଥିବା ଲୋକମାନେ ଜେଲ୍ ଯିବେ- ଧର୍ମେନ୍ଦ୍ର ପ୍ରଧାନ