ରାଜ୍ୟ ଶାସନ କ୍ଷମତାରେ ୨୨ ବର୍ଷ ଧରି ରହିଥିବା ବିଜେଡି ସରକାରର ଦୂରଦୃଷ୍ଟି ହୀନତା ପାଇଁ ଏବେ ଛତିଶଗଡ-ଓଡିଶା ସୀମାନ୍ତ ସୁଖାସୋଡାରେ ଶୁଖିଲା ପଡିଛି ମହାନଦୀ । ଯେଉଁଠି ଅଥଳ ଥଳ ପାଣି ରହିବା କଥା ସେଠି ରହିଛି ବାଲି ହିଁ ବାଲି।
୨୦୧୯ ସାଧାରଣ ନିର୍ବାଚନ ପୂର୍ବର ମହାନଦୀ ପାଇଁ ମହାସଂଗ୍ରାମ କରିଥିଲା ବିଜେଡି। ଖୋଦ୍ ଦଳର ମୁଖିଆ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ । ଏକାଧିକ ନେତା, ମନ୍ତ୍ରୀ ମହାନଦୀ ପାଇଁ ଗର୍ଜନ କରିଥିଲେ । କେଉଁଠି କଳସ ଭାଙ୍ଗୁଥିଲେ ତ ଆଉ କେଉଁଠି ଗ୍ରୀନ୍ ମହାନଦୀ ନାଁରେ ପଦଯାତ୍ରା କରୁଥିଲେ। ରାସ୍ତାଘାଟରେ ପ୍ରତିବାଦ କରୁଥିଲେ। ଆଉ ଶେଷ ରକ୍ତ ବିନ୍ଦୁ ଥିବା ଯାଏଁ ବିଜେଡି ମହାନଦୀ ପାଇଁ ଲଢିବ ବୋଲି ଆହ୍ୱାନ କରିଥିଲେ ହେଁ ଏବେ କିନ୍ତୁ ଚୁପ୍ ।
ତେଵେ ମନାନଦୀ ଶୁଖିଲା ପଡିଛି । କେବଳ ମହାନଦୀ ନଦୀ ନୁହେଁ ଏହାର ଶାଖା ନଦୀ ଗୁଡିକର ଅବସ୍ଥା ମଧ୍ୟ ସମାନ । ଓଡିଶାର ଅଧାରାଜ୍ୟରେ ଦେଖାଦେଲାଣୀ ଜଳକଷ୍ଟ । ଚାଷକାର୍ଯ୍ୟ ବାଧାପ୍ରାପ୍ତ । ହେଲେ ଗଳାଫଟାଇ ଚିତ୍କାର କରୁଥିବା ବିଜେଡି କିନ୍ତୁ ଚୁପ୍ । ମହାନଦୀକୁ ମା କହୁଥିବା ବିଜେଡି ଏବେ ନଦୀକୁ କଣ ସାବତ ମା’ ପରି ଦେଖୁଛି କି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ଆଉ ଜବାବ ରଖିଛି ବିଜେଡି।
ବଡ ନଦୀ ପାଇଁ ବଡ ବିପଦ । ପାଣି ପାଇଁ ଅଧା ଓଡିଶାରେ ହାହାକାର । ଚାଷୀ ଚିନ୍ତାରେ , ମାଛ ଚାଷୀ ବି ଚିନ୍ତାରେ । ମହାନଦୀକୁ ଜୀବନରେଖା କହୁଥିବା ବିଜେଡି ଦଳ କିନ୍ତୁ ନିର୍ବାଚନୀ ବୈତରଣୀ ପାର ହେବା ପରେ ଏବେ ଚୁପ୍ ହୋଇ ବସିବା ବଡ ପ୍ରଶ୍ନ ସୃଷ୍ଟି କରିଛି ।