କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୃତ ମାନସଙ୍କ ପତ୍ନୀ ଏବଂ ପରିବାର ଲୋକଙ୍କ ବିସ୍ଫୋରକ ବୟାନ । ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ୨ ପ୍ରଭାବଶାଳୀ ମନ୍ତ୍ରୀ । ଆଇନ ମନ୍ତ୍ରୀ ପ୍ରତାପ ଜେନା ଏବଂ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହି ଦୁଇ ମନ୍ତ୍ରୀଙ୍କ ସହିତ ଶର୍ମିଷ୍ଠା ରାଉତଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତକାଲି ଗିରଫ ହୋଇଥିବା ନିରଞ୍ଜନ ସେଠୀ ମଧ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଚାକିରି କରିବା ସମୟରେ ଥିଲେ ପ୍ରତାପଙ୍କ ଆନୁଗତ୍ୟ । ମାନସ ହତ୍ୟାକାଣ୍ଡରେ ଏହି ଦୁଇ ପାୱାରଫୁଲ ମିନିଷ୍ଟରଙ୍କ ସମ୍ପୃକ୍ତି କଥା ଖୋଲାଖୋଲି କହିଛନ୍ତି ମୃତ ମାନସଙ୍କ ପରିବାର ଲୋକେ।
ଏହାରି ଭିତରେ ବଡ ପ୍ରଶ୍ନଟି ହେଲା କୁଆଡେ ପୁରା ଘଟଣାର ଖଳନାୟିକା ଶର୍ମିଷ୍ଠା ରାଉତ । ପୂର୍ବରୁ ଚାନ୍ଦବାଲି ପୋଲିସ ଦୁଇ ଦୁଇ ଥର ଶର୍ମିଷ୍ଠାଙ୍କୁ ଜେରା କରିଛି । ଯଦି ଶର୍ମିଷ୍ଠା ହିଁ ମୁଖ୍ୟ ଅଭିଯୁକ୍ତ , ପୋଲିସ ତାଙ୍କୁ ଗିରଫ ନକରି ଛାଡିଦେଲା କେମିତି । ତା ପରେ ଶର୍ମିଷ୍ଠା ଫେରାର ହୋଇଯାଇଛନ୍ତି କିନ୍ତୁ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଯାହାକି ଖାରଜ ହୋଇଯାଇଛି । ଶକ୍ତିଶାଳୀ ମନ୍ତ୍ରୀ ଏବଂ ସରକାରୀ କଳର ବଡବାବୁମାନଙ୍କ ସହ ସମ୍ପର୍କରେ ରହିଥିଲେ ଶର୍ମିଷ୍ଠା । ତେଣୁ ପୋଲିସ ଜାଣିଶୁଣି ଶର୍ମିଷ୍ଠାଙ୍କୁ ସୁରକ୍ଷା ଦେଉନାହିଁ ତ ?
ସେପଟେ ଭଦ୍ରକ ପୋଲିସର ଭୂମିକା ଉପରେ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଚାନ୍ଦବାଲି ଅତିରିକ୍ତ ଏସପି ଜତିନ ପଣ୍ଡା ଓ ଶର୍ମିଷ୍ଠାଙ୍କ ଏହି ଫଟୋକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଉଭୟଙ୍କ ମଧ୍ୟରେ କୁଆଡେ ଭଲ ସମ୍ପର୍କ ରହିଥିଲା । ସେପଟେ ଭୁବନେଶ୍ବର ରେ ରହିଥିବା ଶ୍ରମିଷ୍ଠାଙ୍କ ଆଶ୍ରମର କେୟାର ଟେକର ଦେଇଛନ୍ତି ଚାଂଚଲ୍ୟକର ବୟାନ । ହତ୍ୟା ପୂର୍ବରୁ ମାନସକୁ ଅତ୍ୟାଚାର କରାଯାଇଥିଲା । ଅପହରଣ ପରେ ଆଶ୍ରମକୁ ଆଣି ମାଡ ମରାଯାଇଥିଲା । ଶର୍ମିଷ୍ଠା ତାଙ୍କୁ ନିଜେ ଖାଇବାକୁ ଦେଉଥିଲେ । ହତ୍ୟା ଦିନ ଶର୍ମିଷ୍ଠା କେୟାର ଟେକରକୁ ଶାଢି ଆଣିବାକୁ ପଠାଇଥିଲେ । ଆଶ୍ରମ ବାହାରେ ରଂଜନ କାର ଭିତରେ ଜଗି ରହିଥିଲେ । ଶାଢୀ ନେଇ ଆସିଲା ବେଳେ ଆଶ୍ରମରେ ତାଲା ପଡିଥିଲା । ମାନସକୁ ସେଠାରୁ ନେଇ ସେମାନେ ପଳାଇଥିଲେ । ସିସିଟିଭି ହାର୍ଡ ଡିସ୍କ ବଦଳାଇବାକୁ ପଡୋଶୀଙ୍କୁ କହିବାକୁ ଚେଷ୍ଟା କରିଥିଲେ ଶର୍ମିଷ୍ଠା । ନିରଞ୍ଜନ ସେଠୀ ଥରେ ଆଶ୍ରମକୁ ଆସିଥିଲେ । ମାନସଙ୍କୁ ସେ କୌଣସି ସୁଟିଂକୁ ନେଇ ମାରପିଟ କରିଥିଲେ ।
ଯେତେବେଳେ ମାନସ ନିଖୋଜ ହୋଇଥିଲେ ସେତେବେଳେ ତାଙ୍କ ପରିବାରଲୋକେ ଚାରିଚାରିଟି ଥାନା ଦୌଡିଥିଲେ ଏଫଆଇଆର ଦେବା ପାଇଁ । ଭୁବନେଶ୍ବର ଏୟାରଫିଲ୍ଡ ଥାନା, ନୟାପଲ୍ଲୀ ଥାନା, ରଣପୁର ଥାନା, ଚାନ୍ଦବାଲି ଥାନା । ହେଲେ କେହି ରଖିନଥିଲେ ଏଫଆଇଆର । ବିଳମ୍ବରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଚାନ୍ଦବାଲି ପୋଲିସ । ବଡ ପ୍ରଶ୍ନ ହେଲା , ପ୍ରମାଣ ନଷ୍ଟ କରିବା ପାଇଁ ପୋଲିସ ଏପରି କରୁଥିଲା କି ? ବଡବଡିଆ ନେତା,ମନ୍ତ୍ରୀ, ଅଫିସର ସାମିଲ ଥିବାରୁ ପୋଲିସର ଏହା ଘଂଟ ଘୋଡା ଅଭିଯାନ କି? କେବେ ଗିରଫ ହେବେ ଶର୍ମିଷ୍ଠା ରାଉତ ?