ରାଜ୍ୟ କଂଗ୍ରେସ ଭବନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଭାଇରାଲ ହେଉଥିବା ଅଡିଓକୁ ଉଲ୍ଲେଖ କରି ସେ କହିଛନ୍ତି ଯେ, ଘଟଣାରେ ସିଧାସଳଖ ରାଜ୍ୟ ସରକାରଙ୍କ ଜଣେ ପାୱାରଫୁଲ୍ ମିନିଷ୍ଟର ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତିର ଅଭିଯୋଗ ଆସିଛି । ଯେହେତୁ ଅଭିଯୋଗ ଆସିଛି ଜଣେ ଉଚ୍ଚପଦାଧିକାରୀଙ୍କ ନାଁରେ ସେଥିପାଇଁ ପୋଲିସ ତଦନ୍ତ ସଠିକ୍ ବାଟରେ ଯିବ ନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି ।
ଶ୍ରୀ ବେହେରା ଆହୁରି କହିଛନ୍ତି, ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ସରକାରଙ୍କ ଅସଲମୁଖା ପଦାରେ ପଡିଛି । ସ୍ୱଚ୍ଛ ଶାସନ ଓ ଉତ୍ତରଦାୟୀ ସରକାରର ସ୍ଲୋଗାନ ଦେଉଥିବା ସରକାରଙ୍କ ସ୍ଲୋଗାନ କୁଆଡେ ଗଲା । କାହିଁକି ଆଇନ ତା ବାଟରେ ଯାଉନାହିଁ । ରାଜ୍ୟ ସରକାର ଓଡିଶାବାସୀଙ୍କୁ ସୁଶାସନ ଦେବାରେ ବ୍ୟର୍ଥ ହୋଇଛନ୍ତି । କଂଗ୍ରେସ ଏହି ପ୍ରସଙ୍ଗରେ ଚୁପ୍ ହୋଇ ବସିବ ନାହିଁ । ଦଳ ଆଗକୁ ଜୋରଦାର ଆନ୍ଦୋଳନ କରିବ ବୋଲି ଶ୍ରୀ ବେହେରା କହିଛନ୍ତି ।
ଶ୍ରୀ ବେହେରା ଆହୁରି କହିଛନ୍ତି ଯେ, ଯେତେବେଳେ ଭାଇରାଲ୍ ହେଉଥିବା ଅଡିଓରେ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମ୍ପୃକ୍ତିର ଅଭିଯୋଗ ଆସିଲାଣି । ତାଙ୍କୁ ତଦନ୍ତ ପରିସର ଭୁକ୍ତ କରିବାରେ କାହିଁକି ସରକାର ବିଳମ୍ବ କରୁଛନ୍ତି ।