୨୦୨୦-୨୧ ରେ ଓଡ଼ିଶାରେ ୪୦.୩୮ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ପଡୋଶୀ ରାଜ୍ୟ ଭିତରେ ଛତିଶଗଡ଼ରେ ୩୭.୯୧ ଲକ୍ଷ ହେକ୍ଟର, ଆନ୍ଧ୍ରପ୍ରଦେଶ ୨୩.୨୪ ଲକ୍ଷ ହେକ୍ଟର, ତେଲେଙ୍ଗାନା ୩୧.୮୬ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ହୋଇଥିଲା । ୨୦୨୦-୨୧ ରେ ଓଡିଶାରେ ୭୭.୩୩ ଲକ୍ଷ ମେଟ୍ରିକ ଧାନ ଏମଏସପିରେ ବିକ୍ରି ହୋଇଥିବା ବେଳେ ଛତିଶଗଡ଼ ୭୧ ଲକ୍ଷ ମେଟ୍ରିକ ଧାନ, ଆନ୍ଧ୍ରପ୍ରଦେଶ ୮୪ ଲକ୍ଷ ମେଟ୍ରିକ ଧାନ, ତେଲେଙ୍ଗାନା ୧୪୧ ଲକ୍ଷ ମେଟ୍ରିକ ଧାନ ଏମଏସପି ରେ ଚାଷୀମାନେ ବିକ୍ରି କରିଛନ୍ତି ।
ସେହିଭଳି ଓଡ଼ିଶାର ୧୩.୯ ଲକ୍ଷ ଚାଷୀ ଏମଏସପିରେ ଲାଭ ପାଇଛନ୍ତି । ତେବେ ପଡୋଶୀ ଛତିଶଗଡ଼ର ୨୦.୫୩ ଲକ୍ଷ, ଆନ୍ଧ୍ରପ୍ରଦେଶର ୮.୦୩ ଲକ୍ଷ ଓ ତେଲେଙ୍ଗାନାର ୨୧.୬୪ ଲକ୍ଷ ଏମଏସପିର ଚାଷୀ ଲାଭ ପାଇଛନ୍ତି । ୨୧-୨୨ ରେ ଛତିଶଗଡଗ ୯୨ ଲକ୍ଷ ମେଟ୍ରିକ୍ ଧାନ ବିକ୍ରି ହୋଇଥିବା ବେଳେ ଓଡିଶାର ବିକ୍ରି ହୋଇଛି ୫୬ ଲକ୍ଷ ମେଟ୍ରିକ୍ ଟନ । ଓଡିଶାର ୧୨ ଲକ୍ଷ ୬୩ ହଜାର ଚାଷୀ ଲାଭବାନ ହୋଇଥିବା ବେଳେ ଛତିଶଗଡର ୨୧ ଲକ୍ଷ ଚାଷୀ ଏମଏସପିରେ ଲାଭ ପାଇଛନ୍ତି ।
ଓଡିଶାରେ ଏମଏସପିରରେ ଲାଭ ପାଇଥିବା ଧାନ ଚାଷୀଙ୍କ ସଂଖ୍ୟା ଗତ ୫ ବର୍ଷ ମଧ୍ୟରେ ୨୯ ପ୍ରତିଶତ ବୃଦ୍ଧି ହୋଇଛି । କିନ୍ତୁ ଏହି ସମୟ ଭିତରେ ତେଲେଙ୍ଗାନାରେ ଚାଷୀଙ୍କ ସଂଖ୍ୟା ୨୯୬ ପ୍ରତିଶତ, ଆନ୍ଧ୍ରପ୍ରଦେଶରେ ୧୮୮ ପ୍ରତିଶତ ଏବଂ ଛତିଶଗଡରେ ୯୦ ପ୍ରତିଶତ ବୃଦ୍ଧି ଘଟିଛି । ତେବେ ପ୍ରଶ୍ନ ଓଡ଼ିଶାର ଚାଷୀଙ୍କୁ ଏମଏସପି ଲାଭ ଦେବାରେ କିଏ ବଞ୍ଚିତ କରୁଛି ।
ଗତ ୨୦ ବର୍ଷ ହେଲା ଓଡ଼ିଶାରେ ଧାନ କିଣାବିକାରେ ସରକାରୀ ଅର୍ଥ ବିନିଯୋଗ ହେଉଛି। ସରକାରଙ୍କ ଏଜେଣ୍ଟ ହିସାବରେ ଲ୍ୟାମ୍ପସ, ପାକ୍ସ, ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣୁଛନ୍ତି। ଆରଏମସି ଧାନର ମାନ ନିର୍ଣ୍ଣୟ କରୁଛି। ତେବେ ଟଙ୍କାଟିଏ ବି ଖର୍ଚ୍ଚ ନକରି ଓଡ଼ିଶାରେ ମିଲର୍ସ ହିଁ ଧାନ କିଣାର ସର୍ବେସର୍ବା ପାଲଟିଛି । ମିଲ୍ ମାଲିକଙ୍କ ମର୍ଜିରେ ଓଡ଼ିଶାରେ ଧାନ କିଣାବିକା ଚାଲିଛି। ଏଫଏକ୍ୟୁ ମାନ ଓ ଆର୍ଦ୍ରତା ଆଳରେ ଚାଷୀମାନଙ୍କଠାରୁ ମିଲ୍ ମାଲିକମାନେ କୁଇଣ୍ଟାଲ ପ୍ରତି ୫ରୁ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ କଟନି ଛଟନି କରୁଛନ୍ତି। ସରକାର ଏହାର ନିରବଦ୍ରଷ୍ଟା ସାଜିଛନ୍ତି। ସରକାର ଟୋକନ୍ ନାମରେ ଗୋଟିଏ ମାସ ମଧ୍ୟରେ ଧାନ ବିକିବାକୁ କହୁଛନ୍ତି। ଅନେକ ଚାଷୀଙ୍କ ଟୋକନ୍ ନିର୍ଦ୍ଦାରିତ ସମୟରେ ଆସୁନି । ତେଣୁ ଚାଷୀ ଏହି ଅବଧି ମଧ୍ୟରେ କମ ଦାମରେ ଧାନ ବିକିବାକୁ ବାଧ୍ୟ ହେଉଛି ।