ନବୀନ ପଟ୍ଟନାୟକ । 5 ଥର ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଷଷ୍ଠଥର ଗାଦି ହାସଲ କରିବାକୁ ପୁଣି ରେସରେ ନବୀନ। କିନ୍ତୁ ତଥାକଥିତ ନିର୍ମଳ ଭାବମୂର୍ତ୍ତି ସମ୍ପନ୍ନ ବ୍ୟକ୍ତିତ୍ବ ନବୀନଙ୍କ ପାଇଁ ଷ୍ଟାର୍ ପ୍ରଚାରକ ତାଲିକାରେ ଅଛନ୍ତି ଅନେକ ଦାଗୀ । ଷଷ୍ଠ ପାଳିରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ସାରା ଓଡ଼ିଶାରେ ଷ୍ଟାର ପ୍ରଚାରକ ହୋଇଛନ୍ତି ମାହାଙ୍ଗା ଡବଲ୍ ମର୍ଡରର ଅଭିଯୁକ୍ତ ପ୍ରତାପ ଜେନା, କୃଷି ଦୁର୍ନୀତି ଓ ରୁଚିକା ଆତ୍ମହତ୍ୟା ମାମଲାରେ ବିବାଦୀୟ ରାଜା ସ୍ବାଇଁ, ପରୀ ହତ୍ୟା ମାମଲାରେ ଅରୁଣ ସାହୁ ଏବଂ ଥାନା ଭିତରେ ପଶି ପୋଲିସକୁ ଆକ୍ରମଣ ଘଟଣାରେ ଛନ୍ଦି ହୋଇଥିବା ନେତା ସୁଶାନ୍ତ ସିଂ । ନିର୍ବାଚନ ସମୟରେ ଗ୍ରାଉଣ୍ଡରେ ଏମାନଙ୍କୁ ବିଜେଡିର ଚେହେରା କରିବାକୁ ବାଛିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ଏବେ ନବୀନଙ୍କ ଚାଲ୍ ଚରିତ୍ରରେ ଆସିଛି କି କଂଗ୍ରେସ ପରି ଆଭିମୁଖ୍ୟ ?
2000 ମସିହାରେ ନବୀନଙ୍କୁ ଲୋକେ ବିଶ୍ବାସ କରିବାର କାରଣ ଥିଲା କଂଗ୍ରେସର କୁଶାସନ । ଓଡ଼ିଶାରେ ଚରମ ସୀମାରେ ପହଞ୍ଚିଥିଲା ମହିଳାଙ୍କ ଉପରେ ଅତ୍ୟାଚାର । କଂଗ୍ରେସ ବିରୋଧୀ ଭୋଟ୍ ଏକାଠି କରିବାରେ ନବୀନଙ୍କ ଅସ୍ତ୍ର ବନିଥିଲେ ଅଞ୍ଜନା ମିଶ୍ର । 2000 ମସିହାରେ ଥାନା, ପୋଲିସ, ପଞ୍ଚାୟତରୁ ନେଇ ବ୍ଲକ୍ ସବୁ ମାଡ଼ି ବସିଥିଲେ ଅପରାଧ ଓ ଦୁର୍ନୀତିରେ ବୁଡ଼ିଥିବା କଂଗ୍ରେସ ନେତା । ଏବେ ନବୀନଙ୍କ ଚାଲ୍ ଚରିତ୍ରରେ ଆସିଛି କି କଂଗ୍ରେସ ଭଳି ଆଭିମୁଖ୍ୟ ? ସାମାଜିକ ଜୀବନରୁ ଅପରାଧ ଓ ଦୁର୍ନୀତି ଲୋପ କରିବା ପାଇଁ ନବୀନଙ୍କ ପ୍ରତିବଦ୍ଧତା ଏବେ କେବଳ ଭାଷଣରେ ସୀମିତ କି ? ନଚେତ ମାହାଙ୍ଗା ମର୍ଡର ଘଟଣାର ମୁଦାଲା ନଂ 13 ପ୍ରତାପ ଜେନା କେମିତି ହୋଇଥାନ୍ତେ ଷ୍ଟାର ପ୍ରଚାରକ ? ସମବାୟ କୃଷି ଦୁର୍ନୀତି, ରୁଚିକା ଆତ୍ମହତ୍ୟାକୁ ପ୍ରୋତ୍ସାହନ ଦେଉଥିବା ରାଜା ସ୍ବାଇଁ କେମିତି ହୋଇଥାନ୍ତେ ମହିଳା ସଶକ୍ତିକରଣର ଅଗ୍ରଦୂତ ? ପରୀ ମାମଲାରେ ଏବେ ବି ଅରୁଣ ସାହୁଙ୍କୁ ଦୋଷୀ କହୁଛି ପରୀ ପରିବାର । କିନ୍ତୁ ଜନମତକୁ ଉପେକ୍ଷା କରି ଅରୁଣ ଏବେ ନବୀନଙ୍କ ଷ୍ଟାର ପ୍ରଚାରକ । ସେହିପରି ଭଟଲୀର ସୁଶାନ୍ତ ସିଂ ବାହୁବଳୀ ନେତା । ଯିଏ ଅମ୍ବାଭୋନା ଥାନା ଭିତରେ ପଶି ପୋଲିସକୁ ମରଣାନ୍ତକ ଆକ୍ରମଣର ଅଭିଯୁକ୍ତ । ସିଏ ପୁଣି ବିଜେଡିର କ୍ୟାମ୍ପେନ୍ ଫେସ୍। ସଂଗୀନ ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ବିବାଦୀୟ ନେତା ଏବେ ନବୀନଙ୍କ ପାଇଁ ଷ୍ଟାର ପ୍ରଚାରକ । କିନ୍ତୁ ପ୍ରଶ୍ନ ହେଲା ଏମାନଙ୍କ ପ୍ରଚାର ଲୋକଙ୍କୁ ପ୍ରଭାବିତ କରିବ ନା ପ୍ରତାରିତ ? ନବୀନଙ୍କୁ ଷଷ୍ଠ ପାଳି ମିଳିବ ନା ସତ୍ତା ପରିବର୍ତ୍ତନ ହେବ ? ସେଥିପାଇଁ ଜନତା ଜନାର୍ଦ୍ଦନଙ୍କ ନିର୍ଣ୍ଣୟକୁ ଅପେକ୍ଷା ।
ଅଧିକ ପଢନ୍ତୁ ଓଡିଶା ଖବର