ବିଂଶ ଶତାବ୍ଦୀରେ ଶେଷ ଆଡକୁ ବିନା ରାଜନୈତିକ ପୃଷ୍ଠଭୂମିରେ ନବୀନ କରିଥିଲେ ରାଜନୀତିରେ ପ୍ରବେଶ। ନବୀନଙ୍କୁ ନେଇ ଧାରଣା ଥିଲା ରାଜନୀତିରେ ତାଙ୍କର ନିଜର କିମ୍ବା ପର ନୁହନ୍ତି । ଯେଉଁ ସମୟରେ ଯିଏ ଉପଯୋଗୀ, ସେତେବେଳେ ସିଏ ତାଙ୍କର। ରାଜନୀତି ସମୀକ୍ଷକଙ୍କ ମତରେ ପ୍ରଥମ ଥର ପାଇଁ ନବୀନଙ୍କ ଚରିତ୍ରରେ ଦେଖାଦେଇଛି ଏଭଳି ପରିବର୍ତ୍ତନ। ପ୍ରଥମ ଥର ପାଇଁ କୌଣସି ନେତା ନବୀନଙ୍କର ସାଜିଛନ୍ତି ଦୁର୍ବଳତା ? ବିଜେଡି ସୁପ୍ରିମୋଙ୍କ ଏହି ଦୁର୍ବଳତା 24 ଲଢେଇରେ ବିଜେଡିକୁ କରିବ କି ଅଧିକ ଦୁର୍ବଳ ?
ଓଡ଼ିଶା ହେଉଛି ଦେଶର ପ୍ରଥମ ଭାଷା ଭିତ୍ତିକ ରାଜ୍ୟ । 2036 ମସିହା ଅର୍ଥାତ 12 ବର୍ଷ ପରେ ଓଡ଼ିଶା ପାଳିବ ସ୍ବତନ୍ତ୍ର ପ୍ରଦେଶ ଗଠନର ଶତବାର୍ଷିକୀ । ଏହି ସମୟରେ ଓଡ଼ିଆ ସ୍ବାଭିମାନ ଓ ଅସ୍ମିତା ବହନ କରୁଛି ଗୁରୁତ୍ବ। ତାପରେ ବି ଓଡ଼ିଆଙ୍କ ଉପରେ ପାଣ୍ଡିଆନଙ୍କୁ ଥୋପ ଦେଉଛି ବିଜେଡି। ଜାଗିବ କି ସାଧାରଣ ଓଡ଼ିଆଙ୍କ ସ୍ବାଭିମାନ ? ଗୋଦାବରିଶଙ୍କ ଭାଷାରେ- ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ ଆଜି, ଉଠୁ ଗତ ଗୌରବ, ହୃତ ଗୌରବ, ମୃତ ଗୌରବ ରାଜି । ଯଦି ଓଡ଼ିଆ ସ୍ବାଭିମାନ ଜାଗିବ, ପାଣ୍ଡିଆନଙ୍କ ପ୍ରତି ଦୁର୍ବଳତା ନବୀନଙ୍କର ଷଷ୍ଠ ପାଳି ପରିବର୍ତ୍ତେ ସତ୍ତା ପରିବର୍ତ୍ତନ ହେବ କି ରାଜନୈତିକ ବାସ୍ତବତା ?
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର