
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଡ଼ବିଲ ମେନ ମାର୍କେଟରେ ଥିବା ଜନଗହଳି ପୂର୍ଣ୍ଣ ସ୍ଥାନରେ ଡକାୟତି ଉଦ୍ୟମ ହୋଇଛି । ଏଭଳି ଘଟଣା ଘଟିଛି ବଡ଼ବିଲ ଆଲ୍ଲାହବାଦ ବ୍ୟାଙ୍କ ଶାଖାରେ । ତେବେ ସୁରକ୍ଷା କର୍ମୀଙ୍କ ସାହାସିକତା ଯୋଗୁଁ ଏକ ବଡ ଧରଣର ଡକାୟତି ଉଦ୍ୟମ ପଣ୍ଡ ହୋଇଛି । ଆଜି ସକାଳେ ପ୍ରାୟ ୧୦ଟା ବେଳେ ବ୍ୟାଙ୍କ ଖୋଲିଥିଲା, ଭିତରେ କିଛି କଷ୍ଟମର ବି ଥିଲେ । ସେହି ସମୟରେ ୫ଜଣ ଦୁର୍ବୁତ୍ତ ହାତରେ ବନ୍ଧୁକ ଧରି ବ୍ୟାଙ୍କରେ ପଶି କ୍ୟାସିୟରଙ୍କୁ ଆକ୍ରମଣ କରିଥିଲେ ଓ କ୍ୟାସ ଚାବି ମାଗିଥିଲେ ।ତେବେ ନଦେବାରୁ ଅନ୍ୟ ଦୁଇ ଜଣ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ।

ତେବେ ସେହି ସମୟରେ ସୁରକ୍ଷା କର୍ମୀ ଡକାୟତମାନଙ୍କୁ ପ୍ରତିରୋଧ କରିଥିଲେ । ଯାହା ଫଳରେ ଡକାୟତମାନେ ପଳେଇଯାଇଥିଲେ । ତେବେ ବ୍ୟାଙ୍କ ଭିତରେ ଥିବା ୨ଜଣ କଷ୍ଟମରଙ୍କ ଠାରୁ ପ୍ରାୟ ସାଢ଼େ ୪ ହଜାର ଟଙ୍କା ଲୁଟ କରିବା ସହ ୪ଟି ମୋବାଇଲ ଛଡାଇ ନେଇଛନ୍ତି । ଡକାୟତ ମାନେ ୫ ଜଣ ଥିବା ବେଳେ ସେମାନେ ହାତରେ ବନ୍ଧୁକ ସହ ବୋମା ମଧ୍ୟ ଧରିଥିଲେ । ତେବେ ଖବର ପାଇ ପୋଲିସ ପହଞ୍ଚି ଖୋଜାଖୋଜି କରିବା ସହ ତଦନ୍ତ ଚଳାଇଛି । ତେବେ ଦିଵାଲୋକରେ ଏଭଳି ଡକାୟତି ଉଦ୍ୟମ ଏବେ ସାରା ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ଡକାୟତଙ୍କ ଆକ୍ରମଣରେ ବ୍ୟାଙ୍କର ୨ଜଣ କର୍ମଚାରୀ ଆହତ ହୋଇଛନ୍ତି ।
