ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଲଗାତାର ଷଷ୍ଠଥର ପାଇଁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ପୂର୍ବଥର ମଧ୍ୟ ସମାନ ଢଙ୍ଗରେ ହିଞ୍ଜିଳିକାଟୁ ସହ ବିଜେପୁର ଆସନରେ ନିର୍ବାଚନ ଲଢିଥିଲେ ନବୀନ । ଉଭୟ ଆସନରୁ ବି ବିଜୟ ହୋଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ବିଜେପୁର ଛାଡିଥିଲେ ନବୀନ, ଉପ-ନିର୍ବାଚନରେ ଜିତିଥିଲେ ରୀତା ସାହୁ । ଏଥର ବି ସମାନ ଢଙ୍ଗରେ ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ନବୀନ । ଯଦି କଣ୍ଟାବାଞ୍ଜିରୁ ନିର୍ବାତନରେ ବିଜୟ ହେବେ ତେବେ ନିୟମ ଅନୁସାରେ ଗୋଟିଏ ଆସନ ତାଙ୍କୁ ଛାଡିବାକୁ ପଡିବ । ଅର୍ଥାତ୍ ନବୀନ ହିଞ୍ଜିଳି ରଖି କଣ୍ଟାବାଞ୍ଜି ଛାଡିଲେ ସେଠାରେ ପୁଣି ଉପ-ନିର୍ବାଚନ ହେବ ।
ପଶ୍ଚିମ ଓଡ଼ିଶା କାର୍ଡ ଖେଳିବାକୁ ଚେଷ୍ଟା କରିଛନ୍ତି ନବୀନ । କିନ୍ତୁ କଣ୍ଟାବାଞ୍ଜି କଂଗ୍ରେସର ଗଡ । ଲଗାତାର ସନ୍ତୋଷ ସିଂ ସାଲୁଜା ସେଠାରୁ ନିର୍ବାଚନରେ ବିଜୟ ହୋଇ ଆସୁଛନ୍ତି । ତେଣୁ ସେଠାରୁ ନବୀନ ଜିତିବା ଏତେ ସହଜ ନୁହେଁ । ଏପଟେ ବିଜେଡିର ପ୍ରାର୍ଥୀ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବର୍ତ୍ତମାନର ବିଧାୟକ ସନ୍ତୋଷ ସିଂ ସାଲୁଜା । କହିଛନ୍ତି, ନବୀନ ବାବୁ ସନ୍ତୋଷଙ୍କୁ ଡରିଗଲେ । ତେଣୁ ନିର୍ବାଚନ ଲଢିବାକୁ ସ୍ଥିର କରିଛନ୍ତି । ହେଲେ ଏ ଆସନ ସ୍ଵାଭିମାନର ଆସନ । ବାହାର ଲୋକଙ୍କୁ ଏଠିକାର ଲୋକେ ଭୋଟ ଦିଅନ୍ତି ନାହିଁ । ତେବେ ସମୟ କହିବ କଣ୍ଟାବାଞ୍ଜିର ଭୋଟରଙ୍କ କଥା କିଏ ରଖୁଛି ?