ଆଠଗଡ଼: ଗୋଟିଏ ପଟେ ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି । ଚାଷୀଙ୍କ ପାଇଁ କୋଟି କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା ମଧ୍ୟ କରାଯାଉଛି । ଏମିତିକି ଚାଷୀ ଦେଶର ଓ ରାଜ୍ୟର ମେରୁଦଣ୍ଡ ବୋଲି କୁହାଯିବା ସହ ସେମାନଙ୍କର ଯେଭଳି କୌଣସି ଅସୁବିଧା ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।
ଆଠଗଡ଼ରେ କିନ୍ତୁ ଏଥିରେ ଘୋର ବ୍ୟତିକ୍ରମ ଦେଖାଯାଇଛି । ଗୋଟିଏ ସିମେଣ୍ଟ କାରଖାନା ପାଇଁ ବଳିପଡିଲା ଏକର ଏକର ଜାଗାରେ ଲାଗିଥିବା ଲେମ୍ବୁ ଗଛ । ଏହି ସିମେଣ୍ଟ କାରଖାନା ବିନା ନୋଟିସରେ ଚାଷୀଙ୍କର ଲେମ୍ବୁଗଛ କାଟି ଜମିକୁ ନିଜ ଅକ୍ତିଆରକୁ ନେଇଛି । ଫଳରେ ଚାଷୀର ବର୍ଷକର ପରିଶ୍ରମ ଧୂଳିସାତ୍ ହୋଇଛି । ସେହି ଚାଷୀ ଏବେ ଭୋକ ଉପାସରେ ଦିନ କାଟୁଛନ୍ତି ।

ଆଠଗଡ ବ୍ଲକର 5ଟି ପଞ୍ଚାୟତର ପାଖାପାଖି 15ଟି ଗାଁ ଲେମ୍ବୁ ଚାଷ ଉପରେ ନିର୍ଭର କରି ଚଳିଥାନ୍ତି । ଆଦିବାସୀମାନେ ପ୍ରାୟ 46 ଏକର ଜମି ଲିଜ୍ ସୂତ୍ରରେ ନେଇ ଲେମ୍ବୁ ଚାଷ କରୁଥିଲେ । ମାତ୍ର ଚନ୍ଦ୍ରାବଳିଶ୍ୟାମପୁର ଗାଁରେ ଗଢି ଉଠିଥିବା ଶ୍ରୀ ସିମେଣ୍ଟ କାରଖାନା ଏହି ଜମିକୁ ନିଜ ଅକ୍ତିଆରକୁ ନେଇଛି । ବିନା ନୋଟିସରେ ଆଦିବାସୀମାନେ ଚାଷ କରିଥିବା ଲେମ୍ବୁ ଗଛକୁ ମଧ୍ୟ କାରଖାନା ପକ୍ଷରୁ କାଟି ଦିଆଯାଇଛି । କିନ୍ତୁ କୁହାଯାଉଛି ଏହି ସିମେଣ୍ଟ କାରଖାନା ପାଖରେ କୌଣସି ସରକାରୀ ଅର୍ଡର ନଥାଇ ମଧ୍ୟ ସେ ଲମ୍ବୁ ଗଛ ଗୁଡ଼ିକ ନଷ୍ଟ କରିଦେଇଛି ।
ଲେମ୍ବୁ ଗଛ କାଟିବା ପରେ ଚାଷୀମାନେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏହାପରେ ନିରାଶ ଚାଷୀମାନେ କୋର୍ଟର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଘଟଣାର ତଦନ୍ତ କରି ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତହସିଲଦାର ଏଦିଗରେ କିଛି ପଦକ୍ଷେପ ନେଉନାହାନ୍ତି । ତହସିଲଦାରଙ୍କ କହିବାନୁଯାୟୀ ଏ ସମ୍ପର୍କରେ ସେ କିଛି ଜାଣି ନାହାନ୍ତି । ତେବେ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଲେମ୍ବୁଚାଷୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
