ନୂଆପଡ଼ା: ଭାରତ ଭଳି ସର୍ବବୃହତ୍ ଗଣତନ୍ତ୍ର ରାଷ୍ଟ୍ରରେ ସମ୍ମାନ ଏବଂ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ବଞ୍ଚିବାର ସମସ୍ତଙ୍କର ଅଧିକାର ଅଛି । ଗରିବ ଶ୍ରେଣୀର ଲୋକଙ୍କୁ ଘର ଯୋଗାଇବା ପାଇଁ ସରକାର ଅନେକ ଯୋଜନା କରିଛନ୍ତି । ସେହିପରି ନିରାଶ୍ରୟ ଲୋକଙ୍କ ପାଇଁ ମଧ୍ୟ ସରକାର ଜରାଶ୍ରମର ବ୍ୟବସ୍ଥା କରିଛନ୍ତି । ହେଲେ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଅନେକ ଅସହାୟ ଲୋକଙ୍କ ଘର ଖଣ୍ଡିଏ ନ ଥିବାରୁ ଭଙ୍ଗା କୁଡିଆରେ ରହୁଛନ୍ତି । ସେପଟେ ନିଜର କୌଣସି ସମ୍ପର୍କୀୟ ନ ଥିବାରୁ ଜୀବନ ସହ ସଂଗ୍ରାମ କରୁଛନ୍ତି ରାମରତନ୍ ପହାରିଆ । ଏଭଳି ଏକ ଘଟଣା ଦେଖାଦେଇଛି କୋମନା ବ୍ଲକ୍ ଟିକ୍ରାପଡ଼ା ଗାଁ ପହରୀଆ ପଡାରେ ।

ରାମ ରତନଙ୍କ ଏକମାତ୍ର ପୁତ୍ର ଅଜଣା ରୋଗରେ ପୀଡିତ ହୋଇ ଗତ ବର୍ଷେ ହେଲା ପ୍ରାଣ ହରାଇଥିଲେ । ରାମ ରତନଙ୍କର ଜମିବାଡ଼ି କିଛି ନାହିଁ ।ଭିକ୍ଷା ବୃତ୍ତି କରି ସ୍ୱାମୀ ସ୍ତ୍ରୀ ଚଳୁଥିଲେ କିନ୍ତୁ ସ୍ତ୍ରୀ ମଧ୍ୟ ଅଧା ରାସ୍ତାରେ ଛାଡ଼ି ଆରପାରିକୁ ଚାଲିଗଲେ । ବର୍ତମାନ ଅସହାୟ ହୋଇ ଜୀବନ ସହ ଲଢ଼ୁଛନ୍ତି ରାମ ରତନ । ଦୟାକରି ଯିଏ ଯାହା ଦେଲେ ଖାଉଛନ୍ତି ନହେଲେ ଭୋକ୍ ଉପାସରେ ରହୁଛନ୍ତି । ବୃଦ୍ଧଙ୍କ ଆଶ୍ରୟ ନେବାପାଇଁ ଘରଟିଏ ମଧ୍ୟ ନାହିଁ । ଭଙ୍ଗା କୁଡିଆରେ ଖରା, ବର୍ଷା, ଶୀତରେ ଜୀବନ ବିତାଉଛନ୍ତି ରାମ ରତନ ।
ପାଞ୍ଚ ଶହ ଟଙ୍କା ଏବଂ ପାଞ୍ଚ କିଲୋ ଚାଉଳ ସରିଗଲେ ଉପବାସରେ ଦିନ କାଟୁଛନ୍ତି ଏହି ବୃଦ୍ଧ ଜଣକ । ଘର ନିକଟରେ ଥିବା ପଡୋଶୀ ତିନି ଜଣ ବୃଦ୍ଧା ପଡୋଶୀ ଦୟାକରି ଦେଲେ ଖାଉଛନ୍ତି ନ ହେଲେ ଅର୍ଦ୍ଧହାରରେ ଦିନ କାଟୁଛନ୍ତି । ଏ ନେଇ ଅନେକ ଥର ଗ୍ରାମବାସୀ ଆବାସ ଯୋଜନା ହେଉ କି ବିଭିନ୍ନ ଯୋଜନାରେ ତାଙ୍କ ନାମ ଜଣାଇ ଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି । ଏ ନେଇ କୋମନା ବିଡ଼ିଓଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଆମ ପାଖରେ ଖବର ଅଛି କିନ୍ତୁ ତାଙ୍କର ଜମି ନ ଥିବାରୁ ଘର ମିଳିନାହିଁ । ଏହାସହ ସମସ୍ତ ସରକାରୀ ସୁବିଧା ଯୋଗାଇ ଦେବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେପଟେ ବୃଦ୍ଧା ଧିରେ ଧିରେ ଅସୁସ୍ଥ ହୋଇ ପଡ଼ିଲେଣି । ଯଦି ବୃଦ୍ଧଙ୍କୁ ଠିକ୍ ସମୟରେ ଯତ୍ନ ନିଆନଯାଏ ଅନାହାରରେ ମୃତ୍ୟୁବରଣ କରିବା ନିସନ୍ଦେହ ।
