ଭୁବନେଶ୍ୱର: ଗତକାଲି ରାତିରେ ଶହୀଦ ନଗର ଥାନାରେ ପଶି କିଛି ଦୁର୍ବୃତ୍ତ ପୋଲିସଙ୍କୁ ମାଡ଼ ମାରିବା ମାମଲା ଏବେ ରାଜ୍ୟର ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଥାନାରେ ପଶି ପୋଲିସଙ୍କୁ ଆକ୍ରମଣ ପଛରେ ବିଜେଡିର ସ୍ଥାନୀୟ ନେତା ଥିବା କଥା ମଧ୍ୟ କୁହାଯାଉଛି । ତେବେ ରାଜ୍ୟ ଗୃହ ବିଭାଗର ମୁଖ୍ୟ ନବୀନ ପଟ୍ଟନାୟକ ଥିବା ବେଳେ ପୋଲିସଙ୍କ ଉପରକୁ ନିଜ ଦଳର କର୍ମୀ ଆକ୍ରମଣ କରିବା ଘଟଣାକୁ କଡ଼ା ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଯେଉଁଠି କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ବିପଦରେ ଏବଂ ପୋଲିସ ଖୋଦ ଅସୁରକ୍ଷିତ ତେବେ ଏହା କି ପ୍ରକାର ଶାସନ ? ଏହାକୁ ସ୍ଥାଣୁତା ଅପାରଗତା କୁହାଯିବନି ତ କଣ କୁହାଯିବ । ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦଳର ଗୁଣ୍ଡାଗର୍ଦ୍ଦି ପାଇଁ ଓଡ଼ିଆ ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବାକୁ ପଡିବ ବୋଲି ଶହୀଦ ନଗର ଥାନାରେ ଭଙ୍ଗାରୁଜା ଓ ପୋଲିସଙ୍କୁ ମାଡ ମାରିବା ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମରେ ମତ ରଖି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପ୍ରଜାତନ୍ତ୍ରରେ ଭିନ୍ନମତ ରଖିବା ଏବଂ ପ୍ରତିବାଦ କରିବା ସମସ୍ତଙ୍କ ଅଧିକାର । ବିଜେଡି ତରଫରୁ ଗତକାଲି ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧର ପ୍ରତିବାଦ କରାଯାଇଥିଲା । ଏଥିରେ ଆପତ୍ତି ନାହିଁ । ମାତ୍ର ଆଜି ରେଳ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ବିଜେଡିର ପ୍ରତିବାଦକାରୀ ମାନେ ସିଧା ସଭାସ୍ଥଳ ରେଳ ଅଡ଼ିଟୋରିୟମରେ ପହଞ୍ଚି ଗଲେ । ଏହି ପ୍ରସଙ୍ଗରେ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଥା ହେବା ସମୟରେ ସେମାନେ ସେମାନଙ୍କର ଅସହାୟତା ବ୍ୟକ୍ତ କଲେ ।
ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ ରାଜ୍ୟରେ ପୋଲିସ ବି ସୁରକ୍ଷିତ ନାହାନ୍ତି । ଗତକାଲି ରାତିରେ ବିଜୁ ଛାତ୍ର ଜନତା ଦଳ ଓ ବିଜୁ ଯୁବ ବାହିନୀର ସ୍ଥାନୀୟ ନେତା ମାନେ ରାଜଧାନୀର ପ୍ରାଣକେନ୍ଦ୍ର ଶହୀଦ୍ ନଗର ଥାନା ଭିତରେ ପଶି ପୋଲିସକୁ ମରଣାନ୍ତକ ଆକ୍ରମଣ କଲେ । ପୋଲିସ ଥାନାରେ ସ୍ଥାନୀୟ ଜଣାଶୁଣା ବିଜେଡି ନେତା ମାନଙ୍କର ଆକ୍ରମଣର ଭିଡିଓ ଗଣମାଧ୍ୟମରେ ଓ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି । ଏହା ପରେ ବି ପୋଲିସ ଗିରଫ ନ କରି ହାତ ବାନ୍ଧିବସିଛି ବୋଲି ।
ଏହାସହ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଏପରି ଘଟଣା ଘଟୁଛି ଓ ମୁଖ୍ୟମନ୍ତ୍ରୀ ହାତ ବାନ୍ଧି ବସିଛନ୍ତି କେମିତି ? ରାଜ୍ୟରେ ପୋଲିସ ଓ ଆଇନ ବ୍ୟବସ୍ଥା ଦଳୀୟ ଗୁଣ୍ଡା ମାନଙ୍କ ହାତକୁ ଟେକି ଦିଆଗଲା ଭଳି ପରିସ୍ଥିତି ସୃଷ୍ଟି ହୋଇନି କି ବୋଲି ସେ ପ୍ରଶ୍ନ କରିଛନ୍ତି । ରାଜଧାନୀର ପେଣ୍ଠସ୍ଥଳି ଶହୀଦ୍ ନଗର ଥାନା ଉପରେ ସରକାରୀ ଦଳର ନେତାଙ୍କ ଆକ୍ରମଣ ରାଜ୍ୟରେ ଭୁଷୁଡି ପଡିଥିବା ଆଇନ ଶୃଙ୍ଖଳା ପରିସ୍ଥିତିର ପ୍ରମାଣ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ।
