ସୁକିନ୍ଦା: ପ୍ରଫୁଳ୍ଲ ଘଡେଇଙ୍କ ଜ୍ୱାଇଁ ସଂଜୀବ ସାମନ୍ତରାୟଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ । ଅଭିଯୋଗ କରିଛନ୍ତି ସୁକିନ୍ଦାର ଜଣେ ନାବାଳିକା । ଏନେଇ ସୁକିନ୍ଦା ଥାନାରେ ଅଭିଯୋଗ ହୋଇଛି । ତାଙ୍କୁ ଚାକିରି ଦେବା ନାମରେ ସ୍ଥାନୀୟ ବିଜେଡି ନେତା ବିଶ୍ୱଜିତ ବେହୁରାଙ୍କ ଭାଇ ସବ୍ୟସାଚୀ ବେହୁରା ଏବଂ ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ଘଡେଇଙ୍କ ଜ୍ୱାଇଁ ସଂଜୀବ ସାମନ୍ତରାୟ ବ୍ୟାସନଗର ପୌରାଞ୍ଚଳର ଧବଳଗିରି ସ୍ଥିତ ମହାତ୍ମାଗାନ୍ଦୀ ଆଇଟିଆଇକୁ ନେଇଥିଲେ । ସେଠାରୁ ତାଙ୍କୁ ଧମକାଇ ଦୁଷ୍କର୍ମ କରିଥିବା ନାବାଳିକା ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ଥାନାରେ ମାମଲା କରିବା ପାଇଁ ଯାଇଥିବା ବେଳେ ପୋଲିସ ଏତଲା ରୁଜୁ ନକରିବାରୁ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନା ଘେରାଉ କରାଯାଇଥିଲା । ପରେ ପୋଲିସ ସବ୍ୟସାଚୀଙ୍କୁ ଗତକାଲି (ଗୁରୁବାର) ଗିରଫ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଫୁଲ୍ଲଙ୍କ ଜ୍ୱାଇଁଙ୍କୁ ଗିରଫ କରିନାହିଁ ।
ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ପ୍ରାୟ 4ଟା ବେଳେ ଉକ୍ତ ନାବାଳିକା ଜଣକ ଦୋକାନରେ ବ୍ୟବସାୟ କରୁଥିଲେ । ସ୍ଥାନୀୟ ବିଜେଡି ନେତାଙ୍କ ଭାଇ ସବ୍ୟସାଚୀ ବେହୁରା ଆସି ତାଙ୍କୁ ଚାକିରି ଦେବା ନାମରେ ଡାକି ନେଇଥିଲେ । ଯୁବତୀଙ୍କୁ ନେଇ ସେ ବ୍ୟାସନଗର ପୌରାଞ୍ଚଳର ଧବଳଗିରିରେ ପହଞ୍ଚିଥିଲେ । ସେଠାରେ ସବ୍ୟସାଚୀଙ୍କର ଆଉ ଜଣେ ସହଯୋଗୀ ଥିଲେ ଯିଏ କି ପ୍ରଫୁଲ୍ଲ ଘଡେଇଙ୍କ ଜ୍ୱାଇଁ ବୋଲି ପରିଚୟ ଦେଇଥିଲେ । ଉଭୟ ସେଠାରେ ନାବାଳିକାଙ୍କୁ ଧମକାଇ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ପରେ ଏହି ଘଟଣା କାହାକୁ ନକହିବା ପାଇଁ ନାବାଳିକାଙ୍କୁ ବିଭିନ୍ନ ଧମକଚମକ ଦେଇଥିଲେ ଏବଂ ମାଡ ମଧ୍ୟ ମାରିଥିଲେ । ଏହି ଘଟଣା ନେଇ ଯଦି ସେ ବାହାରେ କାହାକୁ କୁହନ୍ତି ତେବେ ଜୀବନରେ ମାରିଦେବେ ବୋଲି କହିଥିଲେ । ଦୁଷ୍କର୍ମ କରିବା ପରେ ନାବାଳିକାଙ୍କୁ ରାତି ପ୍ରାୟ 9ଟା ବେଳେ ଏକ ଧଳା ବୋଲେରୋରେ ଆଣି ତାଙ୍କ ଘର ନିକଟରେ ଛାଡ଼ିଥିଲେ । ନାବାଳିକାଙ୍କୁ କ୍ଷତାକ୍ତ ଅବସ୍ଥାରେ ତାଙ୍କ ପରିବାର ଲୋକ ଦେଖିବା ପରେ ଥାନାରେ ଏନେଇ ଅଭିଯୋଗ କରିଥିଲେ । କିନ୍ତୁ ଏହି ଘଟଣାରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବାରୁ ପୋଲିସ ପ୍ରଥମେ ଘଟଣାକୁ ହାଲୁକା ଭାବେ ନେଇଥିବା ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।
ଏହି ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକଙ୍କ ଚାପ ଓ ବିଜେପି ମହିଳା ମୋର୍ଚ୍ଚାର ଥାନା ଘେରାଉ ପରେ ପୋଲିସ ଘଟଣାକୁ ଗୁରୁତ୍ୱର ସହ ନେଇଥିଲା । ସ୍ଥାନୀୟ ଏସ୍ପି ଅଭିଯୁକ୍ତଙ୍କୁ ଗିରଫ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଆନ୍ଦୋଳନରୁ ହଟିଥିଲେ । ସ୍ଥାନୀୟ ଲୋକଙ୍କ ଚାପ ରହିଥିବାରୁ ପୋଲିସ ବାଧ୍ୟ ହୋଇ ସବ୍ୟସାଚୀଙ୍କୁ ଗିରଫ କରିଛି । ପୋଲିସି ଡିଏସ୍ପି ବିଜୟ କୁମାର ମଲ୍ଲିକ ତଦନ୍ତ ଯାରି ରଖିଛନ୍ତି । ଖୁବ୍ ଶୀଘ୍ର ପ୍ରଫୁଲ୍ଲ ଘଡାଇଙ୍କ ଜ୍ୱାଇଁଙ୍କୁ ଗିରଫ୍ କରାଯିବ ବୋଲି ପୋଲିସ୍ ଡିଏସ୍ପି ବିଜୟ କୁମାର ମଲ୍ଲିକ୍ କହିଛନ୍ତି ।
