ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନିର୍ଣ୍ଣୟ ଓ ସଫଳ କୁଟନୀତି ସୀମା ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ କରିବାରେ ସଫଳ ହୋଇଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । 2020ରେ ଗଲୱାନ ଘାଟିରେ ସଂଘର୍ଷ ପରେ ଲଗାତାର ଉତ୍ତେଜନା ଲାଗି ରହୁଥିବାବେଳେ ଏବେ ବଦଳୁଛି ସ୍ଥିତି । ମୋଦିଙ୍କ ଦୃଢ଼ ରଣନୀତି ଭାରତ-ଚୀନ ସମ୍ପର୍କରେ ସୁଧାର ଆଣିବାରେ ସଫଳ ହୋଇଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଆସାମର ତେଜପୁରସ୍ଥିତ ଗଜରାଜ କୋର ମୁଖ୍ୟାଳୟରେ ଆୟୋଜିତ ବଡ଼ା ଖାନା କାର୍ଯ୍ୟକ୍ରମରେ ସାମିଲ ହୋଇ ଭାରତ-ଚୀନ ସମ୍ପର୍କରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଥିବା କହିଥିଲେ ରାଜନାଥ ସିଂହ ।
ସୀମା ସମସ୍ୟାର ସମାଧାନ ସହ ବର୍ଡର ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ମୋଦି ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଚୀନ ସୀମାବର୍ତ୍ତୀ ଲଦାଖ, ଅରୁଣାଚଳ ସୀମାରେ ଗତ ମାସରୁ BRO ପକ୍ଷରୁ ଆରମ୍ଭ ହୋଇଛି 18ଟି ବଡ଼ ପ୍ରୋଜେକ୍ଟ । ଆସାମର ତେଜପୁରରୁ ଅରୁଣାଚଳର ତୱାଙ୍ଗକୁ ସଂଯୋଗ ପାଇଁ 13 ହଜାର ଫୁଟ ଉଚ୍ଚରେ ନିର୍ମାଣାଧୀନ ସେଲା ସୁଡଙ୍ଗ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରନ ରିଜଜୁ । BRO ପ୍ରୋଜେକ୍ଟ ଗୁଡ଼ିକ ନର୍ଥଇଷ୍ଟ ରାଜ୍ୟ ବିକାଶକୁ ତ୍ବରାନ୍ବତ କରିବା ସହ ଭାରତ ପାଇଁ ଇକୋନୋମି କରିଡର ପରି କାମ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅରୁଣାଚଳର ବମଲାରେ ଯବାନଙ୍କ ସହ ଦୀପାବଳି ପାଳନ କରିବା ସହ ଭାରତ ସୀମା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି କିରଣ ରିଜଜୁ ।
ଗତମାସରେ ରୁଷିଆର କାଜାନ ସହରରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଏକାଠି ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ । ସୀମାରେ ସ୍ଥିରତା, ସହାବସ୍ଥାନ ନେଇ ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ହୋଇଥିଲା ଆଲୋଚନା । ଅକ୍ଟୋବର 21 ରେ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ ସୀମାରେ ନିୟମିତ ପାଟ୍ରୋଲିଂ ଆରମ୍ଭ ହୋଇଛି ।
ଏପ୍ରିଲ 2020ରେ ଚୀନ ସେନା ପୂର୍ବ ଲଦାଖର 6ଟି ଅଞ୍ଚଳରେ ଅତିକ୍ରମଣ କରିବାକୁ ଉଦ୍ୟମ କରିବା ପରେ ଆରମ୍ଭ ହୋଇଥିଲା ବିବାଦ । ପିପି 17ଏ ଗୋଗରା, ପିପି 14 ଗଲବାନ, ପିପି 15 ହଟ ସ୍ପ୍ରିଙ୍ଗ, ଡେମଚୋକ, ଡେପସାଙ୍ଗ ଓ ପୈଗୋଂଗ ଦ୍ବୀପ ସୀମାରେ ଦେଖାଦେଇଥିଲା ଉତ୍ତେଜନା ।
ଗଲୱାନ ଘାଟିରେ ମୁହାଁମୁହିଁ ହୋଇଥିଲେ ଉଭୟ ଦେଶର ଯବାନ । ସୀମା ସ୍ଥିତିରେ ସୁଧାର ପାଇଁ ବାରମ୍ବାର ସେନା କମାଣ୍ଡର ସ୍ତରୀୟ ଆଲୋଚନା ବିଫଳ ହୋଇଥିଲା। ଉଭୟ ଦେଶର ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଓ NSA ସ୍ତରୀୟ ଆଲୋଚନା ପରେ ଶାନ୍ତି ପାଇଁ ରାସ୍ତା ଫିଟିଥିଲା । ଶେଷରେ 2024 ବ୍ରିକ୍ସ ସମ୍ମିଳନୀରେ ଶାନ୍ତି ପ୍ରସ୍ତାବକୁ ଚୁଡ଼ାନ୍ତ ରୂପ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ଓ ରାଷ୍ଟ୍ରପତି ସି ଜିନପିଙ୍ଗ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର