ଅର୍ଗସ ବ୍ୟୁରୋ: ପୂର୍ବ ସରକାରରେ ରାଜନୈତିକ ହସ୍ତକ୍ଷେପ ଫଳରେ ପୋଲିସ ନିଜ ଦାୟିତ୍ବ ସମ୍ପାଦନ କରିପାରୁନଥିଲା । ପୋଲିସର ମନୋବଳ ଦୁର୍ବଳ ହେବା ସହ ଅପରାଧୀଙ୍କୁ ବଳ ମିଳୁଥିଲା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । କଟକରେ ୬୯ତମ ଷ୍ଟେଟ ପୋଲିସ ଡ୍ୟୁଟି ମିଟ ଉଦଯାପନୀ ସମାରୋହରେ ଯୋଗଦେଇ ପୂର୍ବ ସରକାର ବିରୋଧରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଗସ୍ତକୁ ସଫଳ କରିବାରେ ପୋଲିସ ବିଭାଗର ମୁଖ୍ୟ ଭୂମିକା ଥିଲା। ପୋଲିସ ଡିଜି, ଆଇଜି ଜାତୀୟ ସମ୍ମିଳନୀ ହେଉ କିମ୍ବା ନୌସେନା ଦିବସ। ଏହାକୁ ସୁରକ୍ଷା ପ୍ରଦାନ କରି ସଫଳ ଆୟୋଜନ କରିବାରେ ଓଡିଶା ପୋଲିସର ମୁଖ୍ୟ ଭୂମିକା ଥିଲା। କନ୍ଦରପୁର ହତ୍ୟାକାଣ୍ଡ ଘଟଣା ସହ ବିଭିନ୍ନ ଅପରାଧିକ ଘଟଣାର ପର୍ଦ୍ଦାଫାଶ ସଫଳତା ସହ କରିଛି ଓଡ଼ିଶା ପୋଲିସ। ଏବେ ପୋଲିସ ଆଧୁନୀକରଣକୁ ଗୁରୁତ୍ଵ ଦେଉଛନ୍ତି ରାଜ୍ୟ ସରକାର। ଗୃହ ବିଭାଗରେ ଖାଲି ପଡ଼ିଥିବା ୧୦ ହଜାର ପଦବୀ, ସହ ପାଖାପାଖି ୫ ହଜାର ଗୃହରକ୍ଷୀ ନିଯୁକ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।